
ଜୟପୁର, ୧୪ ନଭେମ୍ବର (ହି.ସ.)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ଶିଶୁ ଦିବସ ଉପଲକ୍ଷେ ପ୍ରଧାନାଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅରୁଣ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସହଭୋଜ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଶିଶୁଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯେପରିକି ବେଶ ଚନ୍ଦ୍ରିକା, ଦେଶାତ୍ମବୋଧ ସଂଗୀତ, ନୃତ୍ୟ ତତ୍ ସହିତ ବିଭିନ୍ନ ପ୍ରକାର ଖେଳ ଇତ୍ୟାଦି ଅନୁଷ୍ଠିତ ହୋଇଯାଇଥିଲା । ନୀଳକଣ୍ଠ ମିଶ୍ର, ବରିଷ୍ଠ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କିଶୋର ଚନ୍ଦ୍ର ପଣ୍ଡା ଏବଂ ଯୁଗ୍ମ ସଂପାଦକ ତପନ୍ କିରଣ ତ୍ରିପାଠୀ ଉପସ୍ଥିତ ଥିଲେ । ଶ୍ରୀ ମିଶ୍ର ଶିଶୁଙ୍କୁ ଭବିଷ୍ୟତରେ ଏକ ସୁନାଗରିକ ହେବା ପାଇଁ ପ୍ରେରଣା ଯୋଗାଇବା ସହିତ, ଶିଶୁଙ୍କ ବର୍ତ୍ତମାନ ସମୟରେ ରହିଥିବା ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ସହଭୋଜ କାର୍ଯ୍ୟକ୍ରମରେ ସମସ୍ତ ଶିଶୁ ଏବଂ ଗୁରୁଜୀ ଗୁରମା ତଥା ବିଦ୍ୟାଳୟର ମାତୃଭାରତୀର ସଦସ୍ୟାଗଣ ଅଂଶଗ୍ରହଣ କରିଥିଲେ । ଭୋଜନ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଶିଶୁଙ୍କୁ ଅନ୍ୟତମ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମିଶ୍ରଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।
କାର୍ଯ୍ୟକ୍ରମର ପରିଚାଳନା ଶିଶୁ ବିଦ୍ୟାମନ୍ଦିରର ବରିଷ୍ଠ ଗୁରୁମା ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ଏବଂ ବୌଦ୍ଧିକ ପ୍ରଦାନ ସରୋଜିନୀ ପାଣିଗ୍ରାହୀଙ୍କ ଦ୍ୱାରା କରାଯାଇଥିଲା । ଉଭୟ ସଭାକାର୍ଯ୍ୟ ଓ ସହଭୋଜ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରାଇବା ନିମନ୍ତେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି