
ଧର୍ମଶାଳା, ୧୪ ନଭେମ୍ବର (ହି.ସ.)- ଦିନକୁ ଦିନ ସାରା ରାଜ୍ୟରେ ସାଇବର ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅନେକ ସମୟରେ ଧନ ଜୀବନ ଅସୁରକ୍ଷିତ ହୋଇ ପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସାଇବର ସୁରକ୍ଷା ଅଭିଯାନ ୨୦୨୫ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସରକାର ଓ ଜିଲା ପୁଲିସର ନିର୍ଦ୍ଦେଶ କ୍ରମେ ସମସ୍ତ ଥାନା ପକ୍ଷରୁ ସାଇବର ସଚେତନତା ଶିବିର କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ପକ୍ଷରୁ ଏହି ସଚେତନତା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଥାନା ଅଧିନରେ ଥିବା ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ନାଟକ, ନୃତ୍ୟ ଓ ସଂଗୀତ ମାଧ୍ୟମରେ ସାଇବର ଠକେଇ ସମ୍ପର୍କରେ ସଚେତନତା କରାଯାଇଥିଲା । ପରେ କଲେଜ ପରିସରରେ ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକଙ୍କ ତତ୍ୱବଧାନରେ ସଚେତନତା ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯାଜପୁର ଏଡିଏମ୍ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଡିଏସ୍ପି ରତିକାନ୍ତ ଗିରି, ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରା, ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ, ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଚିତ୍ରା ନନ୍ଦ ଦାସ, ବ୍ରହ୍ମବରଦା ଭାରତୀୟ ଷ୍ଟେଟ୍ ବ୍ରାଙ୍କ ଶାଖା ମୁଖ୍ୟ ପରିଚାଳକ କୈଳାସ ଚନ୍ଦ୍ର ନାୟକ ଓ ବ୍ରହ୍ମବରଦା ବ୍ୟାଙ୍କ ଅଫ ବରୋଦା ଶାଖା ମୁଖ୍ୟ ପରିଚାଳକ ଅଶୋକ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବାକୁ ସଚେତନ କରିଥିଲେ । ତତ୍ ସହିତ ଅନଲାଇନ ଠକେଇ,ଋଣ ଠକେଇ,ଡିଜିଟାଲ ଆରେଷ୍ଟ ସମ୍ପର୍କରେ ଆଲୋଚନା କରିବା ଓ ମୋବାଇଲରେ ବିଭିନ୍ନ ପ୍ରଲୋଭନ ଦେଖାଇ ଆସୁଥିବା ଆପ୍ଠାରୁ ଦୂରେଇ ରହି ତୁରନ୍ତ ୧୯୩୦ ନମ୍ବର ଓ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନେ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସତ୍ୟ ଆର୍ଟ ଆଣ୍ଡ କଲଚର ଓ ବିଦ୍ୟା ଗୃପର ସଭ୍ୟମାନଙ୍କ ପକ୍ଷରୁ ନୃତ୍ୟ ଓ ସଂଗୀତ ଉପରେ ଅଭିନୟ କରି ସାଇବର ସୁରକ୍ଷା ସେଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍ଆଇ ସୁଶାନ୍ତ କୁମାର ସେଠୀ ଅତିଥିଙ୍କୁ ସ୍ୱାଗତ,ଅଧ୍ୟାପକ ଉଲ୍ଲାସ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମାଜିକ କର୍ମୀ ମଂଟୁ ଦାସ ମଂଚ ପରିଚାଳନା କରିଥିଲେ । ବ୍ରହ୍ମବରଦା ଅଂଚଳର ବିଭିନ୍ନ ସଂଗଠନ ସହ ଜଡିତ ଥିବା ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ