
ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରବାଟି ପରିବା ମାର୍କେଟ ରାଜ୍ୟରେ ଏକ ଜଣାଶୁଣା ପରିବା ବଜାର, ହେଲେ କାର୍ତିକ ମାସ ପରେ ମଧ୍ୟ ପରିବା ମୁଲ୍ୟ ହ୍ରାସ ପାଉ ନଥିବା ଯୋଗୁଁ ଖାଉଟିମାନେ ଦହଗଞ୍ଜ ହେଉଛନ୍ତି । ବାରବାଟି ପରିବା ବଜାରରେ ପରିବ ଦର ୬୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଯାହା ଫଳରେ ଖାଉଟିମାନଙ୍କ ପକେଟରେ ମାଡ ହେଉଛି । କିଲେ ନେବା ଜାଗାରେ ଖାଉଟିମାନେ ଅଧକେଜି ଅଡେଇଶହ ଗ୍ରାମ ପରିବା ନେବାକୁ ବାଧ୍ୟ ହେଉଛନ୍ତି । ସେହିପରି ଏହି ବଜରରୁ ପନିପରିବା ଆଣି ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଅଧିକ ମୁଲ୍ୟରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜାରକା, ଧର୍ମଶାଳା, କାଏମା, ନାକପୋଲ, ନେଉଳପୁର ଆଦି ବଜାରରେ ବାଇଗଣ କିଲୋ ୮୦ ଟଙ୍କା, ଝୁଡଙ୍ଗ ୧୨୦, ପୋଟଳ ୧୨୦, ବିଲାତିବାଇଗଣ ୭୦, ଫୁଲକୋବି ଗୋଟା ୫୦ ଟଙ୍କାରେ ବିକ୍ରି ହେଉଛି । ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣର ପନିପରିବା ଚାଷ ହୋଇଥାଏ । ହେଲେ ଚଳିତ ବର୍ଷ ବର୍ଷା ଲାଗିରହିବାରୁ ପନିପରିବା ଚାଷ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଛାଡିବା ପରେ ଚାଷୀମାନେ ନିଜ ବିଲକୁ ପ୍ରସ୍ତୁତ କରି ପନିପରିବା ଚାଷ ଆରମ୍ଭ କରିଥିବା ବେଳେ ଅମଳ ସମୟ ହୋଇନଥିବାରୁ ଏଅଂଚଳରୁ ପନିପରିବା ମିଳିବା ସମ୍ଭବପର ହେଉ ନାହିଁ । ବଡବଡ ବ୍ୟବସାୟୀମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ପନିପରିବା ଆଣି ବାରବାଟି ବଜାରରେ ଛୋଟ ଛୋଟ ବ୍ୟବସାହୀମାନଙ୍କୁ ଉଚ୍ଚା ମୁଲ୍ୟରେ ବିକ୍ରି କରିବା ଫଳରେ ପନିପରିବା ଦର ବୃଦ୍ଧି ପାଇଛି । ତେବେ ଆଉକିଛି ଦିନ ପର୍ଯ୍ୟନ୍ତ ପନିପରିବା ମୁଲ୍ୟ ଏଭଳି ଉଚ୍ଚା ରହିବ ସ୍ଥାନୀୟ ଉତ୍ପାଦନ ଆରମ୍ଭ ହୋଇଗଲେ ପନିପରିବା ମୁଲ୍ୟ ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ