
କଟକ, ୪ ନଭେମ୍ବର (ହି.ସ.)- ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆଜି କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହେଉଛି ବଡଓଷା । ଗତକାଲି ରାତି ୨ଟାରେ ପହଡ଼ ଖୋଲାଯାଇଥିଲା । ସମସ୍ତ ନୀତିକାନ୍ତି ସମାପନ ପରେ ରାତି ୩ଟାରେ ବାବାଙ୍କ ନିକଟରେ ଗଜ ଭୋଗ ଓ ତରଣ ଲାଗି ହୋଇଥିଲା । ତ୍ରୟୋଦଶ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ବାବାଙ୍କୁ ପ୍ରସିଦ୍ଧ ଗଜଭୋଗ ଲାଗି କରାଯାଇଛି । ବଡ ଓଷା ଓ କାର୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ପାଇବା ପରେ ନିଜର ବ୍ରତ ଉଦଯାପନ କରିଛନ୍ତି । ବାବାଙ୍କ ଅତି ପ୍ରିୟ ଗଜଭୋଗ । ଯାହାକି ଚାଉଳ ଚୁନା, ଗୁଡ଼, ମୁଗ, ନଡ଼ିଆ କୋରା, ଛେନାରେ ଏହି ଗଜମଣ୍ଡା ପ୍ରସ୍ତୁତ ହୋଇଥାଏ ।
ବଡଓଷାରେ ବାବାଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ରେ ଲମ୍ବା ଧାଡିରେ ଯାଇ ବାବାଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ରହିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀ କୂଳ ଘାଟରେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ମୁତୟନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ