ଅରଡେଇ ହତ୍ୟା ଘଟଣାରେ ୬ ଗିରଫ : ଅଭିଯୁକ୍ତ ଅଦାଲତ ଚାଲାଣ
ଚମ୍ପୁଆ, ୦୪ ନଭେମ୍ବର(ହି.ସ.) – ଇଚିଣ୍ଡା ଅରଡେଇ ନଦୀ କୂଳରେ ଘଟିଥିବା ହତ୍ୟା ଘଟଣାରେ ୬ ଜଣଙ୍କୁ ଚମ୍ପୁଆ ପୁଲିସ ଗିରଫ କରିଛି। ଗିରଫ ପରେ ସେମାନଙ୍କୁ ଅଦାଲତ ଚାଲାଣ କରିଥିବା ଜଣାପଡିଛି। ସେମାନେ ହେଲେ ରିମୁଳି ଗ୍ରାମର ମୁନ୍ନା କାଳନ୍ଦୀ(୨୩), ରତିରଞ୍ଜନ ନାଏକ ଓରଫ ଟିଅଁ(୧୯), ଅଭିଷେକ ବେହେରା(୨୨),
ଅରଡେଇ ହତ୍ୟା ଘଟଣାରେ ୬ ଗିରଫ : ଅଭିଯୁକ୍ତ ଅଦାଲତ ଚାଲାଣ


ଚମ୍ପୁଆ, ୦୪ ନଭେମ୍ବର(ହି.ସ.) – ଇଚିଣ୍ଡା ଅରଡେଇ ନଦୀ କୂଳରେ ଘଟିଥିବା ହତ୍ୟା ଘଟଣାରେ ୬ ଜଣଙ୍କୁ ଚମ୍ପୁଆ ପୁଲିସ ଗିରଫ କରିଛି। ଗିରଫ ପରେ ସେମାନଙ୍କୁ ଅଦାଲତ ଚାଲାଣ କରିଥିବା ଜଣାପଡିଛି। ସେମାନେ ହେଲେ ରିମୁଳି ଗ୍ରାମର ମୁନ୍ନା କାଳନ୍ଦୀ(୨୩), ରତିରଞ୍ଜନ ନାଏକ ଓରଫ ଟିଅଁ(୧୯), ଅଭିଷେକ ବେହେରା(୨୨), ଲକ୍ଷ୍ମୀକାନ୍ତ ସାହୁ ଓରଫ ବିକାଶ ଓରଫ କନ୍ଦା(୨୧), ସାଜନ ନାଏକ(୨୦), ଯୁଗଳ କିଶୋର କାଳନ୍ଦୀ (୨୩) ବୋଲି ଜଣାପଡିଛି। ଘଟଣା ଅନୁସାରେ ଚମ୍ପୁଆ ଥାନା ଅନ୍ତର୍ଗତ ଇଚିଣ୍ଡା ଅରଡେଇ ନଦୀ କୂଳରେ ଗତକାଲି କିରାନୀ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କିରାନୀକୁ କିଛି ଲୋକ ପିଟିପିଟି ହତ୍ୟା କରାଯାଇଥିବା ନେଇ କିରାନୀଙ୍କ ସ୍ତ୍ରୀ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ତାପରେ ଚମ୍ପୁଆ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ପାଂଚ ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ରିମୁଳି ଗ୍ରାମର ବୋଲି ଜଣାପଡିଛି। ଗତ ରବିବାର ଦିନ ପ୍ରାୟ ଦୁଇଟା ସମୟରେ ରିମୁଳି ମହାନ୍ତସାହିର ଜନୈକ ବ୍ୟକ୍ତିଙ୍କ ମୃତ ବଳଦକୁ ପୋତିବା ପାଇଁ କାଳିକାପ୍ରସାଦ ଗ୍ରାମ କାଳନ୍ଦୀ ସାହିର କିରାଣୀ ବେହେରା ନିଜ ପୁତୁରା ଓ ରିମୁଳି ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ସହ ଇଚିଣ୍ଡା ଗ୍ରାମ ଅରଡେଇ ନଦୀ କୂଳକୁ ଯାଇଥିଲେ। ତେବେ ସେଠାରେ ମୃତ ବଳଦକୁ ପୋତିବା ବଦଳରେ କାଟୁଥିବା ଦେଖି ରିମୁଳି ଗ୍ରାମର କିଛି ଯୁବକ ଆସି ସେମାନଙ୍କୁ ମାରପିଟ କରିଥିଲେ। ଏହି ଘଟଣା ସେଠାରେ ବଳଦ ଚରାଉଥିବା ଇଚିଣ୍ଡା ଗ୍ରାମର କିଛି ଲୋକଙ୍କ ନଜରକୁ ଆସିଥିଲା। ଗତକାଲି କିରାଣୀଙ୍କ ମୃତଦେହ ଅଉଡେଇ ନଦୀକୂଳରେ ପଡିଥିବା ଦେଖି ଗ୍ରାମବାସୀ ତାଙ୍କ ପୁଅ ଅନିରୁଦ୍ଧକୁ ଖବର ଦେଇଥିଲେ। ଖବର ପାଇ ଅନିରୁଦ୍ଧ ଘଟଣାସ୍ଥଳକୁ ଆସି ପିତାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେବାପରେ ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ, ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳେ ଘଟଣା ସ୍ଥଳରେ ପହଂଚି ସାଇଣ୍ଟିଫିକ ସହାୟତା ନେଇ ଘଟଣା ସ୍ଥଳରୁ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ଚମ୍ପୁଆ ପୁଲିସ ଥାନା କେସ ନଂ ୩୪୫/୨୫ରେ ହତ୍ୟା ମାମଲା ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧) ଓ ୩(୫) ଅନୁସାରେ ମାମଲା ରୁଜୁ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande