
ମାଲକାନଗିରି, ୪ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମେକା ଗ୍ରାମପଞ୍ଚାୟତକୁ ଯିବାକୁ ହେଲେ ଦାମାପାଡା, କୁପୁଲିଗୁଡା, ମାଢ଼ିଗୁଡ଼ା ଦେଈ ଯାଇହୁଏ। କିନ୍ତୁ ଏହି ରାସ୍ତାରେ ପ୍ରାୟ ବଡ଼ ବଡ଼ ଗାଡ଼ି ସାହାଯ୍ୟରେ ବାଲି ନେଉଥିବାରୁ ଏ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଯେଉଁଥି ପାଇ ଅତି ଆବଶ୍ୟକସ୍ଥଳେ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହି। କିଛି ଦିନ ଆଗରୁ ରାସ୍ତାରେ ଏ ଅଞ୍ଚଳର ଜନସାଧାରଣଙ୍କ ଗମନା ଗମନ ନିମନ୍ତେ ଏକ ଲକ୍ଷ୍ମୀ ବସ ଚଳାଚଳ କରୁଥିଲା। କିନ୍ତୁ ରାସ୍ତା ଦୟନୀୟ ହେବାରୁ ସେହି ବସ ମଧ୍ୟ ବର୍ତ୍ତମାନ ଆଉ ମେକା କୁ ଆସୁନାହିଁ। ଯହା ଦ୍ୱାରା ଏହି ଅଞ୍ଚଳର ବାସିନ୍ଦା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏ ସଂକ୍ରାନ୍ତରେ କିଛି ଯୁବକ ଏକତ୍ରିତ ହୋଇ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଦାବି ଜଣାଇଲେ ମଧ୍ୟ କେହି ବି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଏନେଇ ଆଜି କିଛି ସ୍ଥାନୀୟ ଯୁବକ ଓ କିଛି ଗ୍ରାମବାସୀଙ୍କୁ ନେଇ ବିଜୁ ଜନତା ଦଳ ବ୍ଲକ ସଭାପତି ସଦାଶିବ ପୂଜାରୀ, ଭଗବାନ ଅନୁଗୁଳିଆ, ସୁଦେସ ପୂଜାରୀ, ରାମ ଚନ୍ଦ୍ର ଚାଲାଣ, ରାମ ଦୋରା ଓ ବୁଦ୍ରା ଦାସା ପ୍ରମୁଖ ରାସ୍ତା ମରାମତି କରିଛନ୍ତି। ଏହିପରି ଅସୁବିଧା ପାଇଁ ସଦାଶିବ ପୂଜାରୀ ବ୍ଲକ ପ୍ରଶାସନକୁ ଦାୟୀ କରିବା ସହିତ,ତୁରନ୍ତ ଏ ରାସ୍ତା ମରାମତି ପାଇଁ ବ୍ଲକ ପ୍ରଶାସନ ନିକଟରେ ଦାବି ରଖିବେ ବୋଲି ମତ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ