
ମୁଖୀଗୁଡା, ୪ ନଭେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଫେଲ ମାରିଛି୧୦୮ ଆମ୍ବୁଲାନ୍ସ ସେବା। ଜରୁରୀକାଳୀନ ସମୟରେ ଲୋକଙ୍କ ପାଖକୁ ପହଁଚି ପାରୁନାହିଁ ଆମ୍ବୁଲାନ୍ସ, କେବେ ରୋଗୀ ନେଲା ବେଳେ ବାଟରେ ଗାଡି ଅଚଳ ହେଉଛି ତ କେବେ କେବେ ଗାଡି ନାହିଁ ବୋଲି ମନା କେଇଦେଉଛନ୍ତି ୧୦୮ କଲ ସେଣ୍ଟର କର୍ମଚାରୀ। ଦୀର୍ଘ ଚାରି ଦିନ ହେଲା ମୁଖୀଗୁଡା ଭତରାପଡାର ଯୁବକ କର୍ଣ୍ଣ ମହୁଲଢ଼ିକି (୪୦) ରୋଗରେ ପୀଡିତ ହୋଇ ମରଣ ସହ ସଂଗ୍ରାମ କରୁଥିଲେ। ତାଙ୍କର କେହି ସମ୍ପର୍କୀୟ ନଥିବା ବେଳେ ପଡୋଶୀ ଲୋକେ ତାଙ୍କ ଦୁଃଖ ଦେଖିନପାରି ତାଙ୍କୁ ହସ୍ପିଟାଲ ନେବା ପାଇଁ ଆଜି ଆମ୍ବୁଲାନ୍ସକୁ ଫୋନ କରିଥିବା ବେଳେ ଦୀର୍ଘ ୫ ଘଣ୍ଟା ପରେ ମଧ୍ୟ ପହଁଚିନଥିଲା ଆମ୍ବୁଲାନ୍ସ। ଏ ସମ୍ପର୍କରେ ଜୟପାଟଣା ମେଡ଼ିକାଲ କର୍ତ୍ତୃପକ୍ଷ, ଜୟପାଟଣା ବିଡ଼ିଓ, ମୁଖୀଗୁଡା ସରପଞ୍ଚଙ୍କୁ ଅବଗତ କରାଯାଇଥିଲା। ଶେଷରେ ଅଗ୍ନିଶମ ବିିଭାଗ ଗାଡି ଆସି ନେଇଥିଲା ହସ୍ପିଟାଲ। ଯଦି ଉକ୍ତ ସମୟରେ କର୍ଣ୍ଣଙ୍କ କିଛି ହୋଇଯାଇଥାନ୍ତା ତେବେ କିଏ ଦାୟୀ ହୋଇଥାନ୍ତେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଜୟପାଟଣା ବ୍ଲକରେ ଦୀର୍ଘ ଦିନ ହେବ ଏଭଳି ସମସ୍ୟା ଦେଖା ଦେଇଛି। ରୋଗୀ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଆବଶ୍ୟକ କରୁଥିଲେ ମଧ୍ୟ ତାଙ୍କ ପାଖକୁ ଏହି ସେବା ପହଞ୍ଚି ପାରୁନାହିଁ। ଯାହାଫଳରେ ଗରିବ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଦୁର୍ଘଟଣା ଘଟିଲେ ବହୁ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚୁଥିବାର ନଜିର ରହିଛି। ଲୋକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସେବା ଦେବାକୁ ସରକାର ଆମ୍ବୁଲାନ୍ସରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଜିର ଘଟଣା କିପରି ଆମ୍ବୁଲାନ୍ସ ସେବା ଚାଲିଛି ତାହା ପ୍ରମାଣ କରୁଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ନିହାର