


ସମ୍ବଲପୁର, ୦୪ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲାରେ ପ୍ରଥମ ଶ୍ରେଣୀରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ବଲପୁରୀ ଭାଷାରେ ଶିକ୍ଷାଦାନ କରାଯିବାକୁ ସମ୍ବଲପୁରୀ ଭାଷା ସମିତି ପକ୍ଷରୁ ମଙ୍ଗଲବାର ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଛି। ବିଶିଷ୍ଟ ଗବେଷକ ଶଶଙ୍କ ପଣ୍ଡାଙ୍କ ନେତୃତ୍ୱରେ ସମ୍ବଲପୁରର ବିଭିନ୍ନ ସଙ୍ଗଠନ ମିଲିତ ଭାବେ ସମ୍ବଲପୁରୀ ଭାଷା ସମିତି ଆନୁକୁଲ୍ୟରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଦାବିକୁ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରିଥିଲେ। ସମ୍ବଲପୁରୀ ଭାଷା ପଶ୍ଚିମ ଓଡିଶାର ସାଢେ୧୦ଟି ଜିଲାରେ ଲୋକଙ୍କ ମାତୃଭାଷା ଭାବେ ବ୍ୟବହାର କରାଯାଉଛି। ୨୦୧୧ ଜନଗଣନାରେ ୨୭ ଲକ୍ଷରୁ ଅଧିକ ଲୋକ ସମ୍ବଲପୁରୀକୁ ସରକାରୀ ଭାବେ ମାତୃଭାଷା ଭାବେ ସ୍ୱିକାର ମଧ୍ୟ କରିଥିବା ନେଇ ସଦସ୍ୟମାନେ ଜିଲାପାଳଙ୍କ ଠାରେ ଉପସ୍ଥାପନ କରିଥିଲେ। ତେବେ ଭାରତର ନୂତନ ଶିକ୍ଷା ନୀତି ଅନୁସାରେ ପ୍ରଥମ ଶ୍ରେଣୀରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ମାଧ୍ୟମ ରୂପେ ମାତୃଭାଷାର ବ୍ୟବହାର ହେବା ଉଚିତ ବୋଲି ଗ୍ରହଣ କରିଛନ୍ତି । ଗତ ସେପ୍େଟମ୍ବର ୭ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଓଡ଼ିଶା ରାଜ୍ୟପାଳଙ୍କ ଉପସ୍ଥିତିରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ମାତୃଭାଷାରେ ପ୍ରାଥମିକ ଶିକ୍ଷାଦାନ ଉପରେ ଜୋର ଦେଇଥିଲେ। ଏହାସହ ଝାରସୁଗୁଡ଼ା ଜିଲାରେ ଗତ ଏପ୍ରିଲ ୧୮ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ସମ୍ବଲପୁରୀ ଭାଷାରେ ପ୍ରାଇମର ଉନ୍ମୋଚିତ ହୋଇଥିବା ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ପଶ୍ଚିମ ଓଡିଶାରେ ଶିଶୁ ମାନେ ସମ୍ବଲପୁରୀ ଭାଷାରେ କଥାବାର୍ତା କରିବା ଆରମ୍ଭ କରୁଥିବାରୁ ହଠାତ ଓଡିଆରେ ପ୍ରାଥମିକ ଶିକ୍ଷାଗ୍ରହଣ କରିବା ସମୟରେ ପାଠକୁ ବୁଝିବା କଷ୍ଟକର ହୋଇପଡୁଛି। ପୁଣି ସମ୍ବଲପୁରୀ ଭାଷା ସାହିତ୍ୟ କ୍ଷେତ୍ରରେ ଯେ କୋଣସି ମାନକ ଭାଷା ସହ ସମକକ୍ଷ ହୋଇ ପାରିଥିବା ସତ୍ୱେ ସ୍ଥାନିୟ ଛାତ୍ରଛାତ୍ରୀ ସମ୍ବଲପୁରୀ ଭାଷା ଶିକ୍ଷାରୁ ବଂଚତ ରହିି ଆସିଛନ୍ତି। ତେଣୁ ସମ୍ବଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷାଦାନ ହେଲେ ପିଲାଙ୍କୁ ପାଠ ବୁଝିବାରେ ସହାୟକ ହେବା ସହ ସମ୍ବଲପୁରୀ ଭାଷାର ମଧ୍ୟ ବିକାଶ ହେବ ବୋଲି ସମିତିର ସଦସ୍ୟ ମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲାରେ ପ୍ରଥମ ଶ୍ରେଣୀରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନରେ ସମ୍ବଲପୁରୀ ଭାଷାରେ ପ୍ରାଇମରକୁ ଉପଯୋଗ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା। ଜିଲାପାଳ ରାଜ୍ୟ ସରକାରଙ୍କୁ ଜନମତ ବିଷୟରେ ଅବଗତ କରିବାକୁ ସମିତିର ସଦସ୍ୟମାନେ ଅନୁରୋଧ କରିଥିଲେ। ଜିଲାପାଳ ମଧ୍ୟ ଏହା ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ପଶ୍ଚିମାଂଚଳ ଏକତା ମଂଚ ର ଆବାହକ ଭବାନୀଶ ଭୋଇଙ୍କ ସଂଯୋଜନାରେ ଆଜିର କାର୍ଯ୍ୟକ୍ରମରେ ଭାଷାବିଦ ମୁକ୍ତକଣ୍ଠ ପ୍ରଧାନ, ଶିବପ୍ରସାଦ ମେହେର, ଲକ୍ଷ୍ମୀନାରାୟଣ ପଣ୍ଡା, ମାନସ କୁମାର ଷଡଙ୍ଗୀ, କାଳିନ୍ଦୀ ପ୍ରତାପ ସିଂହ, ଲଲିତ ମୋହନ ବେବର୍ତା, ବାବଲୁ ବାଗ, ଡ.ସ୍ୱୟଂ ପ୍ରକାଶ ପଣ୍ଡା, ଲଲିତା ଭୋଇ, ପ୍ରଦ୍ୟୃୁମ୍ନ ବିଶି, ସୁଷମା ପ୍ରଧାନ, ଅନୁପମା ବିଶ୍ୱାଳ, ମନୋଜ କୁମାର ପଣ୍ଡା, ପଙ୍କଜିନୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ