
ମାଲକାନଗିରି, ୪ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ଜା, ପଦ୍ମଗିରି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ସାରା ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ଭଳି ଘଟଣା ଘଟିବାରେ ଲାଗିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଗତ କିଛି ମାସ ମଧ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗତ କିଛି ମାସ ମଧ୍ୟରେ ଜିଲ୍ଲାରେ ଦୁଷ୍କର୍ମ ଘଟଣା ବଢିବା ରେ ଲାଗିଥିବା ବେଳେ ଆଜି ପୁଣି ଏପରିକି ଏକ ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ ଜଣେ ୧୬ ବର୍ଷର ନାବାଳିକା ନିଜ ସାଙ୍ଗ ସହ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଯଦୁଗୁଡା ଶୈବ ମନ୍ଦିରକୁ ଯାଇଥିଲେ। ସେଠାରେ ଦେବୁ ବାରୋଇ ନାମକ ଜଣେ ଚିହ୍ନା ଯୁବକ ସେମାନଙ୍କୁ ଏକ ମୋଟର ସାଇକେଲରେ ବସାଇ ସ୍ଥାନୀୟ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ତେବେ ସେଠାରେ ଦେବୁ ଉକ୍ତ ଯୁବତୀଙ୍କ ବାନ୍ଧବିଙ୍କ ସହାୟତାରେ ନାବାଳିକାଙ୍କୁ ଜୋର ଜବରଦସ୍ତ ମଦ ପିଆଇବା ପରେ ତାଙ୍କୁ ନିଶାଶକ୍ତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ବିଷୟରେ ଜାଣିବା ପରେ ପରିବାର ଲୋକେ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଦେବୁ ବାରୋଇକୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣା ପଡିଛି। ଉଭୟଙ୍କ ଡାକ୍ତରି ମାଇନା କରାଯିବା ସହ ଘଟଣାର ତଦନ୍ତ କରି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ