
ଖୋର୍ଦ୍ଧା, ୪ ନଭେମ୍ବର (ହି.ସ.)- ଖୋର୍ଦ୍ଧା ଜିଲାର ପ୍ରସିଦ୍ଧ ଶୈବପୀଠ ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ବରଙ୍କ ପୀଠରେ ବଡ଼ଓଷା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଧବଳେଶ୍ବର ପୀଠ। ଶ୍ରଦ୍ଧାଳୁ ଓ ମାନସିକଧାରୀ ଧବଳେଶ୍ୱରଙ୍କ ନିକଟରେ ଗଜଭୋଗ ଓ ଅଟକାଳୀ (ହାଣ୍ଡିଭୋଗ) ଭୋଗ ଲାଗି କରିଛନ୍ତି। ତେବେ ଭକ୍ତଙ୍କ ଶୃଙ୍ଖଳିତ, ସୁରକ୍ଷିତ ଦର୍ଶନ ପାଇଁ ମନ୍ଦିର ପ୍ରବେଶ ଦ୍ବାରରେ ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ୍ କରାଯାଇଛି। ଶ୍ରଦ୍ଧାଳୁମାନେ ଟିକେଟ କାଟି ମନ୍ଦିରରେ ପ୍ରବେଶ କରୁଛନ୍ତି। ଅନ୍ୟ ଦ୍ବାର ବାଟେ ବାହାରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗୁରୁଜଙ୍ଗ ଧବଳେଶ୍ବର ପୀଠ । ମଙ୍ଗଳବାର ଶୃଙ୍ଖଳିତ ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ଏବଂ ମନ୍ଦିର ସେବାୟତ ସଂଘ ଉପସ୍ଥିତିରେ ସମସ୍ତ ନୀତିକାନ୍ତି ସ୍ଥିର କରାଯାଇ ରାତି ୨ଟାରୁ ମନ୍ଦିର ଦ୍ବାରଫିଟା ଯାଇ ଅନ୍ୟାନ୍ୟ ନୀତି କରାଯାଇ ୩ଟାରେ ମଙ୍ଗଳ ଆଳତି ପରେ ଦର୍ଶନ ଆରମ୍ଭ ହୋଇଛି। ପୂର୍ବାହ୍ନ ୯ଟାରେ ଧବଳେଶ୍ବରଙ୍କୁ ହାଣ୍ଡିଭୋଗ(ଅଟକାଳୀ) ଲାଗି କରି ମାନସିକଧାରୀମାନେ ମହାଦେବଙ୍କ ନିକଟରେ ଏହି ଭୋଗ ଅର୍ପଣ କରିଛନ୍ତି। ଦିନସାରା ଶ୍ରଦ୍ଧାଳୁଙ୍କ ଭୋଗଲାଗି ହୋଇଥିଲା। ମଧ୍ୟାହ୍ନରେ ଶଙ୍ଖୁଡି ଭୋଗରେ ଅନ୍ନ, ଡାଲମା, ଖିରି, ପିଠା ଲାଗି କରାଯାଇ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ପହୁଡ଼ ପରେ ପୁଣି ଦର୍ଶନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି, ବେଢ଼ା ପରିକ୍ରମା କରିବା ପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯାଇ ରାତି ୧୦ଟାରେ ପହୁଡ଼ ନୀତି ସମ୍ପନ୍ନ ହୋଇଛି । ହଜାର ହଜାର
ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଟ୍ରାଫିକ ଏବଂ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ବୋଲି ସଦର ଡିଏସପି ନୀହାର ରଞ୍ଜନ ପ୍ରଧାନ କହିଛନ୍ତି । ପୌର ପ୍ରଶାସନ ପକ୍ଷରୁ ପାନୀୟଜଳ ଏବଂ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଠାରେ ବଡ଼ଓଷା ଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଅଞ୍ଚଳର
ବ୍ୟବସାୟୀମାନେ ଏଠାରେ ପସରା ମେଲାଇଛନ୍ତି। ଭୋଗ ସାମଗ୍ରୀ, ଖଇ, କୋରା, ବିଭିନ୍ନ ପ୍ରକାର ମିଠେଇ, ଫାଷ୍ଟଫୁଡ, ଫୁଡଷ୍ଟଲ, ଟେରାକୋଟା, ଘରକରଣା ସାମଗ୍ରୀ, ଘରୋଇ ସାଜସଜ୍ଜା, ବାଉଁଶ ନିର୍ମିତ ସାମଗ୍ରୀ, ପ୍ରସ୍ତରରେ ପ୍ରସ୍ତୁତ ବିଭିନ୍ନ କଳାକୃତି, ପିଲାଙ୍କ ଖେଳଣା ଦୋକାନ ଆଦି ପଡିଛି। ଧବଳେଶ୍ୱରଙ୍କ ପୀଠର ଚାରିପଟେ ୫ଶହରୁ ଊର୍ଦ୍ଧ୍ୱ ଷ୍ଟଲ ପଡିଛି। ଦୁଇଦିନ ବ୍ୟାପୀ ଧବଳେଶ୍ବରଙ୍କ ପୀଠରେ ଯାତ୍ରା ହେଉଥିବାରୁ ଏଠାରେ ଲୋକାରଣ୍ୟ ହୋଇଛି। ମନ୍ତ୍ରଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ