
ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅଲୋକ ତ୍ରିପାଠୀ ଆଜି ଖୋର୍ଦ୍ଧା ରୋଡ୍–କେରଜଙ୍ଗ (ଅନୁଗୁଳ) ରେଳ ସେକ୍ସନରେ ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ତାଙ୍କ ସହ ବରିଷ୍ଠ ମଣ୍ଡଳ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ନିରୀକ୍ଷଣର ଉଦ୍ଦେଶ୍ୟ ଥିଲା ରେଳ ଚଳାଚଳର ସୁରକ୍ଷା ଓ ନିରାପତା ସହ ଟ୍ରେନ ଚଳାଚଳ କ୍ଷେତ୍ରରେ ଏହି ସେକ୍ସନରେ ସୁଚାରୁ ଭାବେ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା । ନିରୀକ୍ଷଣ ସମୟରେ ରେଳଲଇନ ଓ ସମ୍ବନ୍ଧିତ ଭିତ୍ତିଭୂମିକୁ ଭଲଭାବେ ପରୀକ୍ଷା କରାଯାଇଥିଲା । ନିରାପତା ସମ୍ବନ୍ଧିତ ବିଭିନ୍ନ ଦିଗ ଯେପରିକି ରେଳପଥର ଭୌଗୋଳିକ ଗଠନ ଓ ସମନ୍ୱୟ, କ୍ରସିଂ ଓ ଟର୍ନଆଉଟ୍, ସେତୁ, ଛୋଟ ସଂରଚନା , ସିଗ୍ନାଲ ଏବଂ ଇଂଟରଲକିଂ ପ୍ରଣାଳୀ, ଜଳ ନିସ୍କାସନ ବ୍ୟବସ୍ଥା, ସୁରକ୍ଷା ପ୍ରାଚୀର ଓ ବାଡ଼ ଇତ୍ୟାଦିକୁ ତଦାରଖ କରାଯାଇଥିଲା । କଟକ ଓ ଅନୁଗୁଳ ମଧ୍ୟରେ ଥିବା ବୁଢାପଙ୍କ–ରାଜଆଠଗଡ଼–ଶାଳଗାଁ ରେଳ ସେକ୍ସନରେ ତୃତୀୟ ଓ ଚତୁର୍ଥ ରେଳଲଇନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଅଛି ଯାହା ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ ହେବା, ରେଳପଥ କ୍ଷମତା ବୃଦ୍ଧି ଓ ରେଳ ଚଳାଚଳ କ୍ଷମତାର ଉନ୍ନତି ସୁନିଶ୍ଚିତ କରିବା ସମ୍ଭବ ହେବ ।
ଶ୍ରୀ ତ୍ରିପାଠୀ ମେରାମଣ୍ଡଳୀରେ ଥିବା ଟାଟା ଷ୍ଟିଲ୍ ଲିମିଟେଡ୍ (ଟିଏସଏଲ) ସାଇଡିଂ ଓ କେରଜଙ୍ଗ (ଅନୁଗୁଳ) ରେ ଥିବା ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟ ଲିମିଟେଡ୍ (ଜେଏସପିଏଲ) ସାଇଡିଂକୁ ମଧ୍ୟ ନିରୀକ୍ଷଣ କରି ଶିଳ୍ପ ଉଦ୍ୟୋଗ ସହିତ ସମନ୍ୱୟ ବୃଦ୍ଧି କରାଇ ପଣ୍ୟ ପରିବହନ ସୁଦୃଢ କରିବା ବିଷୟରେ ଆଲୋଚନା କରିଛନ୍ତି।
ଏହି ନିରୀକ୍ଷଣର ଉଦ୍ଦେଶ୍ୟ ଥିଲା ରେଳ ଯାତାୟାତର ନିରାପତା ବୃଦ୍ଧି, ଭିତିଭୂମି କାର୍ଯ୍ୟ ଗୁଡିକର ଉନ୍ନତିକରଣ କରିବା ସହ ଯାତ୍ରୀ, ସାଧାରଣ ଲୋକ ଓ ପଣ୍ୟ ଗ୍ରାହକମାନଙ୍କ ପାଇଁ ଉତମ ସେବା ପ୍ରଦାନ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ସାମଗ୍ରିକ କାର୍ଯ୍ୟଦକ୍ଷତାକୁ ସୁଦୃଢ କରାଇବା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା