



ଜୟପୁର, 5 ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆଜି ଜୟପୁର ଠାରେ ବୋଇତ ବନ୍ଦାଣ ଉତ୍ସବ ସମାରୋହରେ ପାଳିତ ହୋଇଛି । ପିଲା ଠାରୁ ଆରମ୍ଭ କରି ବୁଢା ପଯ୍ୟନ୍ତ ସମସ୍ତେ ଭୋରରୁ ହାତରେ କଦଳୀ ମଞ୍ଜାରେ ନିର୍ମିତ ଛୋଟ ଛୋଟ ବୋଇତ ଧରି ଜୟପୁର ସ୍ଥିତ ଐତିହାସିକ ଜଗନ୍ନାଥ ସାଗରର , ଖଜୁରି ବନ୍ଦ ଠାରେ ବୋଇତ ବନ୍ଦାଣ କରିଥିଲେ । ବୋଇତ ଗୁଡାକରେ ଗେଣ୍ଡୁଫୁଲ ସହ ପାନପତ୍ର ଗୁଆ ପାଣିରେ ଭସାଇଥିଲେ । ବିଶେଷ କରି ଛୋଟ ପିଲା ଓ ମହିଳା ମାନଙ୍କ ମଧ୍ୟରେ ବୋଇତ ବନ୍ଦାଣ କୁ ନେଇ ବେଶ ଆଗ୍ରହ ଥିବା ପରିଲିକ୍ଷିତ ହୋଇଥିଲା । ଜୟପୁରରେ ଜଗନ୍ନାଥ ସାଗରରେ ଓ ପୋଖରି ନିକଟରେ ବାଣ ଫୁଟାଇ ପିତୃ ପୁରଷଙ୍କୁ ଅର୍ପଣ କରିଥିଲେ । ଆ କା ମା ବୈ ପାନ ଗୁଆ ତୋର ମାସକର ଧର୍ମ ମୋର କହି ହବିଷ୍ୟାଳି ମାନେ ଉଚ୍ଚାରଣ କରିବାରୁ ସାଗର ତଟ ମୁଖରତି ହୋଇ ପଡିଥିଲା । ବାଣ ଫୁଟାଇ ଲୋକ ମାନେ ଆନନ୍ଦ ଉଲ୍ଲାସରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ନେଇ ଆଜି ସହର ସାରା ସଂକୀର୍ତ୍ତନ ମଣ୍ଡଳୀ ଦେଖିବାକୁ ମିଳିଥିଲା । ଭୋର୍ ୩ ଟା ସମୟରୁ ବିଭିନ୍ନ ସାହି ଗୁଡ଼ିକରେ ରହିଥିବା ସଂକୀର୍ତ୍ତନ ମଣ୍ଡଳୀ ଭିନ୍ନ ଭିନ୍ନ ମନ୍ଦିର ପରିସରରେ ରାମ ନାମ ନେଇ ବୁଲୁଥିବା ବେଳେ ଆଖପାଖ ଗାଁ ଗହଳିରୁ ମଧ୍ୟ ସଂକୀର୍ତ୍ତନ ମଣ୍ଡଳୀମାନେ ଜୟପୁର ସହରକୁ ଆସିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ସହରର ସମସ୍ତ ମନ୍ଦିର ଗୁଡ଼ିକ ଲୋକାରଣ୍ୟ ରହିଥିଲା । ବିଶେଷ କରି ଜୟପୁରର ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିର, ରଘୁନାଥ ମନ୍ଦିର, ଗୀତା ଭବନ,ବାଲାଜି ମନ୍ଦିର, ପଞ୍ଚାନନ ମନ୍ଦିର, କୁଞ୍ଜବିହାରି ମନ୍ଦିର, ଚୈତନ୍ୟ ମନ୍ଦିର, ପଞ୍ଚାନନ ମନ୍ଦିର, ବାବା ବୈଦ ନାଥ ମନ୍ଦିର, ମଙ୍ଗଳା ମନ୍ଦିର, ଲକ୍ଷ୍ମୀ ନୃସିଂହ ମନ୍ଦିର, ନିଳକଣ୍ଠେଶ୍ୱର ମନ୍ଦିର , ଗଣେଷ ମନ୍ଦିର ରେ ପ୍ରବଳ ଭିଡ ଦେଖାଦେଇଥିଲା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ମଧ୍ୟ ସଂକୀର୍ତ୍ତନରେ ଭାଗ ନେଇଥିଲେ । କାର୍ତ୍ତିକ ମାସ ସାରା ସଂକୀର୍ତ୍ତନ ମଣ୍ଡଳି ଓ ହବିଷ୍ୟାଳି ମାନେ ମନ୍ଦିରରେ ଆଳତି ଦର୍ଶନ କରୁଥିବା ବେଳେ ଆଜି ଶେଷ ଦିନ ହୋଇଥିବାରୁ ହରି ନାମ ଠାରୁ ଦୁରେଇ ରହିବା କଷ୍ଟକୁ ସ୍ୱରଣ କରି ଭବ ବିହ୍ୱଳ ହୋଇ ସରି ଗଲା ଭାଇ ଭଜ ଗୋବିନ୍ଦ ଆଉ କି ଡାକିବ ନିତାଇନନ୍ଦ ବୋଲି ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଗୀତରେ ହବିଷ୍ୟାଳି ଓ ଭକ୍ତ ଙ୍କ ଭକ୍ତି ଭାବନା ଜାଗ୍ରତ ହେବାସହ ଜୟପୁର ସହର ଉତ୍ସବ ମୁଖର ହୋଇ ଉଠିଥିଲା । ମନ୍ଦିର ରେ ସହର ସାରା ଭକ୍ତ ଭିଡ ଦେଖି ପୋଲିସ ତରଫରୁ ପେଟ୍ରୋଲିଂ ବ୍ୟବସ୍ଥା କଡା କଡି କରାଯାଇ ଭକ୍ତ ମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇ ଥିଲା । ହବିଷ୍ୟାଳି ମାନେ ହାତିଶାଳ ରେ ଭୋଜି କରିଥିବା ଲକ୍ଷ୍ୟ କରାଯାଇଥିବା ବେଳେ ମନ୍ଦିର ରେ ଅନ୍ନ ପ୍ରସାଦ ପାଇ ପ୍ରବଳ ଭିଡ ଜମିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି