
ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମାନବାଧିକାର ଦିବସ ପାଳିତ
ନୂଆପଡ଼ା, ୧୦ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ବିଲେନଜୋର ସ୍ଥିତ ସହଭାଗୀ ବିକାଶ ଅଭିଯାନ ସଭାଗୃହରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଶ୍ବ ମାନବାଧିକାର ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଉପ-ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, କୋମନା ଓକିଲ ସଂଘର ଅଧିବକ୍ତା ଲଲାଟେନ୍ଦୁ ନିଆଲ, ହରି କୁଲଦୀପ, ଆନ୍ତର୍ଜାତୀୟ ନ୍ୟାୟ ମିଶନର ସୁରେନ୍ଦ୍ର ଛତ୍ରିଆ, ଶ୍ରମ ବାହିନୀର ସଂଯୋଜକ ସୌମ୍ୟ କୁମାର, ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, କୋନାବିରାର ପ୍ରଧାନଶିକ୍ଷୟତ୍ରୀ ମାମି ଗିତାଞ୍ଜଳୀ ଦାଶ, ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ମାନବ ଅଧିକାର, ମାନବ ଅଧିକାର ସୁରକ୍ଷା ଆଇନ, ୧୯୯୩, ସମ୍ବିଧାନରେ ବର୍ଣିତ ନାଗରିକଙ୍କ ମୌଳିକ ଅଧିକାର ଏବଂ ମାନବ ଅଧିକାର ସୁରକ୍ଷାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ କୋନାବିରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ସମସ୍ତଙ୍କ ପାଇଁ ସମାନତା, ମର୍ଯ୍ୟାଦା ଏବଂ ନ୍ୟାୟ ବିଷୟବସ୍ତୁ ଉପରେ ପୋଷ୍ଟର ତିଆରି ଏବଂ ରଚନା ଲିଖନ ପ୍ରତିଯୋଗିତାର ଆୟୋଜନ କରାଯାଇ ଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ୪୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଗଣ ଅଂଶଗ୍ରହଣ କରିଥିଲେ । ସଭା ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ