
ଭଦ୍ରକ, ୧୦ ଡିସେମ୍ବର (ହି.ସ.) - ରାଜ୍ୟ ରାଜପଥ ଉପରକୁ ଅଳିଆ ଆବର୍ଜନା ପାଣି ଛାଡି ରାସ୍ତା କୁ ଖରାପ କରୁଥିଲେ ଜଣେ ବ୍ୟକ୍ତି। ବାରମ୍ବାର ଅଭିଯୋଗ ପରେ କେହି ନ ଶୁଣିବାରୁ ଶେଷରେ ରାଜ୍ୟ ରାଜପଥ କୁ ଅବରୋଧ କଲେ ଗ୍ରାମବାସୀ। ଏଭଳି ଘଟଣା ଆଜି ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ଭଦ୍ରକ -ଆରଡ଼ି ରାଜ୍ୟ ରାଜପଥ ର କୋରକରା ଛକ ନିକଟ ରେ ଦେଖା ଯାଇଛି। ଏଠାରେ ଜଣେ ବ୍ୟକ୍ତି ୩ ମହଲା କୋଠା କରି ଅନେକ ଲୋକ ଙ୍କୁ ଘର ଭଡା ଦେଇଛନ୍ତି। ଏପରିକି ସରକାରୀ ଜାଗା କୁ ମଧ୍ୟ ଜବର ଦଖଲ କରିଛନ୍ତି। ତେଣୁ ସେହି ଘର ଭିତରୁ ଯେଉଁ ସବୁ ଅଳିଆ ଆବର୍ଜନା ପାଣି ବାହାରେ ତାହାକୁ ସେ ରାଜ୍ୟ ରାଜପଥ ଉପରକୁ ଛାଡି ଦିଅନ୍ତି। ଫଳରେ ସେଠାରେ ରାସ୍ତା ଖରାପ ହେବା ସହିତ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହିତ ଖାଲ ଢିପ ସୃଷ୍ଟି ହୋଇଛି। ତେଣୁ ପ୍ରତେକ ଦିନ ସେଠାରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହିତ ସ୍ଥାନୀୟ ଲୋକ ମାନେ ପାଖରେ ଥିବା ମନ୍ଦିର ପାଖକୁ ମଧ୍ୟ ଯିବା ଆସିବାରେ ହଇରାଣ ହରକତ ହେଉଛନ୍ତି । ତେଣୁ ଏହାର ସମାଧାନ ପାଇଁ ବାରମ୍ବାର ଘର ମାଲିକ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳ ଏବଂ ଏସପି ଙ୍କୁ ଗ୍ରାମବାସୀ ମାନେ ଜଣାଇ ଥିଲେ ମଧ୍ୟ ସେମାନେ କିଛି ବୁଝି ନ ଥିଲେ। ଶେଷରେ ପୂର୍ବ ସୂଚନା ଅନୁଯାଇ ଆଜି ଗ୍ରାମବାସୀ ଓ ସ୍ଥାନୀୟ ଲୋକ ମାନେ କୋରକରା ଛକ ନିକଟ ରେ ରାସ୍ତା ରୋକ ଆନ୍ଦୋଳନ କରିଥିଲେ। ଫଳରେ ଉଭୟ ପାର୍ଶ୍ୱ ରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ ଗ୍ରାମାଂଚଳ ଥାନା ଅଧିକାରୀ ଲୋକ ମାନଙ୍କୁ ବୁଝା ସୁଝା କରି ରାସ୍ତା ରୋକ ଆନ୍ଦୋଳନ କୁ ଉଠାଇ ଥିଲେ ଏବଂ ଦୁଇ ତିନି ଭିତରେ ଏହାର ସମାଧାନ ସହିତ ବେଆଇନ ଜବର ଦଖଲ କୁ ଉଠା ଯିବ ବୋଲି ପ୍ରତିଶୃତି ଦେଇଥିଲେ ତହସିଲଦାର। ଫଳରେ ରାସ୍ତା ରୋକ ହଟିବା ସହିତ ଆଖଣ୍ଡଳମଣି ପୀଠ କୁ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ