ପୁଷ୍ଟିକର ଗୋଖାଦ୍ୟ ଯୋଗାଇବା ପାଇଁ ଓମ୍ଫେଡ୍ ଓ ବିଏମ୍ ସି ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ
Bhubaneswar, 10 ଡିସେମ୍ବର (ହି.ସ.) ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଓ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମ୍ଫେଡ୍)ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଏମ୍ ସି ଅଧିନରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଥିବା 6ଟି ଗୋଶାଳାରେ ଥିବା ପ୍ରାୟ 2 ହ
ପୁଷ୍ଟିକର ଗୋଖାଦ୍ୟ ଯୋଗାଇବା ପାଇଁ ଓମ୍ଫେଡ୍ ଓ ବିଏମ୍ ସି ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ


Bhubaneswar, 10 ଡିସେମ୍ବର (ହି.ସ.)

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଓ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମ୍ଫେଡ୍)ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଏମ୍ ସି ଅଧିନରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଥିବା 6ଟି ଗୋଶାଳାରେ ଥିବା ପ୍ରାୟ 2 ହଜାର ଗାଈଗୋରୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇବ ଓମ୍ଫେଡ୍ । ଏବେ ବିଏମ୍ ସି ଦ୍ୱାରା ପରିଚାଳିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର 4ଟି ଗୋଶାଳାରେ ଥିବା ପ୍ରାୟ 1500 ଗାଈଗୋରୁଙ୍କ ପାଇଁ ଖାଦ୍ୟ ଯୋଗାଇବ ଏବଂ ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ଗୋଶାଳା ପାଇଁ ଖାଦ୍ୟ କ୍ରୟ କରାଯିବ। ପ୍ରତି ମାସରେ ଗୋଶାଳାରେ 18% କ୍ରୁଡ୍ ପ୍ରୋଟିନ୍ ଯୁକ୍ତ କନସେଣ୍ଟ୍ରେଟ୍ ଗୋଖାଦ୍ୟ ଯୋଗାଇବ ଓମ୍ଫେଡ୍ । ଏହା ଦ୍ୱାରା ବିଏମ୍ ସି ଓ ଓମ୍ଫେଡ୍ ମଧ୍ୟରେ ଏକ ସମନ୍ୱୟ ସେତୁ ତିଆରି ହେବ ବୋଲି କୁହାଯାଇଛି ।

ଏହା କୌଣସି ବ୍ୟବସାୟିକ ଚୂକ୍ତିପତ୍ର ନୁହେଁ । ଗାଈଗୋରୁମାନଙ୍କୁ ଉତ୍ତମ ଗୁଣମାନର ସୁଷମ ଓ ପୁଷ୍ଟିକର ଗୋଖାଦ୍ୟ ଯୋଗାଇ ଦେବା ପାଇଁ ଏହି ଚୁକ୍ତି ପତ୍ର ସ୍ୱାକ୍ଷରିତ କରାଯାଇଛି ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।

ଗୋଶାଳାରେ ରହୁଥିବା ଗାଈଗୋରୁଙ୍କୁ, ସରକାର ସମର୍ଥିତ ସମବାୟ ସଂସ୍ଥା ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ପୁଷ୍ଟିକର ସୁଷମ ଗୋଖାଦ୍ୟ ଯୋଗାଇବା ଆମର କର୍ତ୍ତବ୍ୟ । ଯେହେତୁ ଓମ୍ଫେଡ୍ ଉତ୍ତମ ଗୁଣମାନର ଗୋଖାଦ୍ୟ ପ୍ରସ୍ତୁତ କରୁଛି, ତେଣୁ ସେଠାରୁ କ୍ରୟ କରିବା ପାଇଁ ବିଏମ୍ ସି ଚୁକ୍ତିପତ୍ର ସ୍ୱାକ୍ଷର କରିଛି ବୋଲି କହିଛନ୍ତି ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା । ଆଗାମୀ ଦିନରେ ବିଏମ୍ ସି ଦ୍ୱାରା ପରିଚାଳିତ ସମସ୍ତ ଗୋଶାଳାକୁ, ରିହାତି ଦରରେ ଓମ୍ଫେଡ୍ ଗୋଖାଦ୍ୟ ଯୋଗାଇବ ବୋଲି ସେ କହିଛନ୍ତି ।

ପ୍ରତି ଗୋଶାଳା ପାଖରେ ଓମ୍ଫେଡ୍ ଏହି ଗୋଖାଦ୍ୟ ପହଞ୍ଚାଇବ । ଖାଦ୍ୟ ଶେଷ ହେବା ପୂର୍ବରୁ ଗୋଶାଳାରେ ଯେପରି ଖାଦ୍ୟ ପହଞ୍ଚିବ ଅର୍ଥାତ୍ ବର୍ଷସାରା ଯେପରି ଗୋଶାଳାରେ ଖାଦ୍ୟ ମହଜୁଦ୍ ରୁହେ, ସେଥିପ୍ରତି ଧ୍ୟାନ ଦିଆଯିବ । ଅନ୍ୟପକ୍ଷରେ କେବଳ ଓମ୍ଫେଡ୍ ଠାରୁ ଗୋଖାଦ୍ୟ କ୍ରୟକଲେ, ତାର ଦେଖାଶୁଣା କରିବା ସହଜ ହେବ । 11 ଡିସେମ୍ବର 2025ଠାରୁ ଓମ୍ଫେଡ୍ ଗୋଖାଦ୍ୟ ଯୋଗାଇବ ।

ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର, କମିଶନରଙ୍କ ସହ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଓମ୍ଫେଡର ଡେପୁଟି ମ୍ୟାନେଜର ଡାକ୍ତର ବିଶ୍ୱରଂଜନ ତ୍ରିପାଠୀ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁଙ୍କ ସହ ବିଏମ୍ ସି ଓ ଓମ୍ଫେଡ୍ ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande