
ସୁବର୍ଣ୍ଣପୁର, 10 ଡିସେମ୍ବର (ହି.ସ.)ଆସନ୍ତା ୧୬ ତାରିଖରୁ ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିୟମ୍ ଠାରେ ଆରମ୍ଭ ହେବ ଗୃହରକ୍ଷୀ ଶାରୀରିକ ପରୀକ୍ଷା । ଏଥି ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏଥିପାଇଁ ସର୍ବ ମୋଟ ୪୭୯୮ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୨୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଇ ପରୀକ୍ଷା ଦେଇ ତନ୍ମଧ୍ୟରୁ ୧୬୫୪ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଶାରିରୀକ ପରୀକ୍ଷା ପାଇଁ ବିବେଚିତ ହୋଇଥିବା ବିଷୟ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ ସୂଚନା ଦେଇଛନ୍ତି । ସମସ୍ତ ପରୀକ୍ଷାର୍ଥୀଙ୍କୁ ୧୬ ତାରିଖରୁ ୨୦ ତାରିଖ ଯାଏ ମେଡିକାଲ୍ ଓ ଫିଜିକାଲ୍ ଟେଷ୍ଟ କରାଯିବାକୁ ସ୍ଥିର ହୋଇଥିବା ବେଳେ ମହିଳା ପରିକ୍ଷାର୍ଥୀଙ୍କ ପାଇଁ ସମସ୍ତ ଥାନା ଅଞ୍ଚଳରେ ୧୯ ତାରିଖରେ ସ୍ଵତନ୍ତ୍ର ଭାବେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ଶାରିରୀକ ପରୀକ୍ଷା ପରେ ଜିଲ୍ଲାରେ ମୋଟ ୯୨ ଗୋଟି ଗୃହରକ୍ଷୀ ପଦବୀ ପୂରଣ ପାଇଁ ଖୁବ ଶୀଘ୍ର ନିଯୁକ୍ତି ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ମେରିଟ ପରିକ୍ଷାର୍ଥୀ ମାନେ କୌଣସି ପ୍ରକାର ପ୍ରଲୋଭନର ଶିକାର ନ ହୋଇ ଶେଷ ପର୍ଯ୍ୟାୟର ଶାରୀରିକ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପ୍ରୟାସ କରିବା ପାଇଁ ଓ ପୁରା ସ୍ୱଚ୍ଛତାର ସହିତ ଏହି ପରୀକ୍ଷାର ଫଳାଫଳ ପ୍ରକାଶ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ବିଷୟ ମିଡ଼ିଆ ମାଧ୍ୟମରେ ଏହାର ପ୍ରଚାର ପ୍ରସାର ପାଇଁ ଏସ୍ପି ଶ୍ରୀ ନାୟକ ଅନୁରୋଧ କରିଛନ୍ତି । ଆସନ୍ତା ୧୬ ତାରିଖ ସକାଳ ୬ଟାରେ ଡୁଙ୍ଗୁରିପାଲି, ଉଲୁଣ୍ଡା, ସୁବଳୟା ଓ ରାମପୁର ଥାନା ଅଞ୍ଚଳର ପରିକ୍ଷାର୍ଥୀ ସୋନପୁର ରାମେଶ୍ୱର ଷ୍ଟାଡିୟମ୍ ଠାରେ ପରୀକ୍ଷାରେ ଯୋଗ ଦେବାକୁ ଥିବାବେଳେ ୧୭ ତାରିଖରେ ସୋନପୁର, ତରଭା ଓ ବିନିକା ଥାନା ଅଞ୍ଚଳର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୧୮ ତାରିଖ ସକାଳ ୬ଟାରେ ବୀରମହାରାଜପୁର ଓ ଲଛିପୁର ଥାନା ଅଞ୍ଚଳର ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଆସନ୍ତା ୧୯ ତାରିଖରେ ଜିଲ୍ଲାର ସମସ୍ତ ଥାନାର ମହିଳା ପ୍ରାର୍ଥୀନୀ ପରୀକ୍ଷାରେ ଭାଗ ନେବାର ସୂଚନା ମିଳିଛି । ଶେଷରେ ୨୦ ତାରିଖ ଦିନ ସକାଳ ୬ଟାରେ ଜିଲ୍ଲାର ସମସ୍ତ ଥାନାର ଦକ୍ଷତା ବିଭାଗ ପରୀକ୍ଷା (ଟ୍ରେଡ ଟେଷ୍ଟ) ଅନୁଷ୍ଟିତ ହେବ ଓ ସବୁଦିନ ର ସବୁ ପରୀକ୍ଷା ସିସିଟିଭି ସର୍ଭେଲାନ୍ସରେ ହେବ ବୋଲି ଏସପି ଶ୍ରୀ ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ