
ଖୋର୍ଦ୍ଧା, ୧୦ ଡିସେମ୍ବର(ହି.ସ.) – ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ କରିବା ସହିତ ଏକଥା ଅନ୍ୟ କାହାକୁ କହିଲେ ଚାକିରିରୁ ବହିଷ୍କାର ସହ ଜୀବନ ବରବାଦ କରିଦେବାର ଧମକ ଦେଇଥିବା ନେଇ ବୋଲଗଡ ଥାନାରେ ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଧ୍ୟାପିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ବୋଲଗଡ଼ ପୋଲିସ କେସ ନଂ.୩୧୦/୨୫ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ଉକ୍ତ ମହାବିଦ୍ୟାଳୟରେ ଅଧ୍ୟାପିକା ଜଣଙ୍କ କିଛି ଦିନ ହେବେ ନୂତନ ଭାବେ ନିଯୁକ୍ତି ପାଇଥିଲେ।ତେବେ ଅଧ୍ୟକ୍ଷ ଶ୍ରୀ ଦାସ ତାଙ୍କ ମୋବାଇଲ ନମ୍ବରରେ ମେସେଜ ମାଧ୍ୟମରେ ପ୍ରେମ ନିବେଦନ କରି ଆସୁଥିଲେ। ଏପରିକି ଏଘଟଣା ସମ୍ପର୍କରେ ବାହାରେ ପ୍ରକାଶ ନ କରିବା ପାଇଁ ଧମକ ଦେଉଥିଲେ। ଏନେଇ ଅଧ୍ୟାପିକା ଜଣଙ୍କ ଘରେ ଜଣାଇବା ପରେ ତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଏନେଇ ଅଧ୍ୟକ୍ଷ ଦାସଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ