
ଭୁବନେଶ୍ୱର, ୧୦ ଡିସେମ୍ବର (ହି.ସ.) - ଲାକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ରାଜ୍ୟରେ ସାର ଉତ୍ପାଦନ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ମଧ୍ୟ ଉପସ୍ଥିତ ଥିଲେ ।
ଓଡ଼ିଶାର କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଥିବା ଏବଂ ଚାଷ ପ୍ରତି ଯୁବପିଢ଼ି ଅନୁଗାମୀ ହୋଇଥିବା କାରଣରୁ କୃଷି ଉଦ୍ୟୋଗୀ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡ଼ିଶା ସରକାରଙ୍କ ସହଜ ଓ ନିବେଶମୁଖୀ ନୀତି ଯୋଗୁଁ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଏହି ପରିପ୍ରେକ୍ଷୀରେ ଇଣ୍ଟରନ୍ୟାସନାଲ ଫର୍ଟିଲାଇଜର ଡେଭଲପମେଂଟ ସେଂଟର ମଧ୍ୟ ଓଡ଼ିଶାରେ ନିଜର ପ୍ଲାଂଟ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ଓଡ଼ିଶା ସରକାରଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ।
ଓଡ଼ିଶା ସରକାରଙ୍କ ତରଫରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବାରୁ ବହୁ ଲୋକ ଏବେ ଚାଷକୁ ଆପଣେଇଲେଣି । ଅଣ ଧାନ ଫସଲ ଗୁଡ଼ିକ ମଧ୍ୟ ଖରିଫରେ ଧାନ ଫସଲ କରୁଛନ୍ତି । ତଦନୁଯାୟୀ, ବିଶେଷ କରି ଖରିଫ ଫସଲ ସମୟରେ ସାରର ଆବଶ୍ୟକ ବିଶେଷ ଭାବେ ବୃଦ୍ଧି ପାଇଥାଏ । ଏହାର ସ୍ଥାୟୀ ସମାଧାନ ନିମନ୍ତେ ବିଭାଗ ପକ୍ଷରୁ ଅଧିକ ପ୍ଲାଂଟ ସ୍ଥାପନା ନେଇ ଆଲୋଚନା ଚାଲିଛି । ଯଦ୍ୱାରା ରାଜ୍ୟରେ ଚାଷ ପାଇଁ ସାରର ଅଭାବ ପରିଲକ୍ଷିତ ହେବ ନାହିଁ ଏବଂ ବଂଟନ ମଧ୍ୟ ସୁଚାରୁରୂପେ ହୋଇପାରିବ। ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ବୈଠକରେ ମଧ୍ୟ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା