
ଧର୍ମଶାଳା,୧୦ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଗାନ୍ଧିଛକ ଠାରେ କଂଟିଗଡିଆ ଓ କ୍ଷେତ୍ରପାଳ ପଂଚାୟତ ବାସିନ୍ଦାଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ରେ, ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ସମାଜସେବୀ ମିନତୀ ସାହୁ,ଧର୍ମଶାଳା ବ୍ଲକ ଅଧକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ସ୍ୱସ୍ଥ୍ୟ ଶିବିରରେ ଆଜି ଉଭୟ ପଂଚାୟତରୁ ପ୍ରାୟ ୮୧୫ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟ୍ରଷ୍ଟ ପକ୍ଷରୁ ମାଗଣା ଔଷଧ ପ୍ରଦାନ କରାଯାଇଛି । ଏହି ଶିବିରରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମଧୁମେୟ ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ଚଳିତ ୫ ତାରିଖରୁ ଶୁଭାରମ୍ଭ କରାଯାଇଥିବା ବେଳେ ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତବାସୀଙ୍କ ପାଇଁ ଏଭଳି ଶିବିରର ଆୟୋଜନ କରାଯିବାକୁ ବ୍ୟବସ୍ଥା ରହିଥିବା ବେଳେ ଆଗାମୀ ଫେବୃଆରୀ ୩ ତାରିଖରେ ଏହା ଶେଷ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଶିବିରକୁ ଯୁବ ସଂଗଠକ ରାଜେଶ ପାଳ, ୧୩ ନମ୍ବର ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ ,କ୍ଷେତ୍ରପାଳ ସରପଂଚ ଫକୀରନାରାୟଣ ମିଶ୍ର, କଂଟିଗଡ଼ିଆ ସରପଂଚ ପ୍ରଶାନ୍ତ କୁମାର ରାଉତ,ଆୟୁଷ୍ମାନ ସାହୁ, ଲୋକନାଥ ମହାନ୍ତି ପରିଚାଳନା କରିଥିଲେ । ଏହି ଶିବିର ରେ ହାଇଟେକ ମେଡିକାଲର ଅଭିଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ରୋଗ ପରୀକ୍ଷା କରିଥିଲେ । ଏଥିସହ ଚର୍ମ, ମଧୁମେହ ,ଉଚ୍ଚ ରକ୍ତଚାପ, ଶିଶୁରୋଗ ଆଦି ରୋଗରେ ପୀଡିତ ରୋଗୀମାନଙ୍କ ଚିକିତ୍ସା କରାଯାଇ ୩ ମାସ ପାଇଁ ବିନା ମୂଲ୍ୟରେ ଔଷଧ ବଂଟନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ