
ଧର୍ମଶାଳା,୧୦ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ଗ୍ରାମର ଦିବ୍ୟାଙ୍ଗ ସରୋଜ କୁମାର ସାହୁ (୫୩)ଙ୍କ ମଙ୍ଗଳବାର ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ସୂଚନା ମୁତାବକ, ରସୁଲପୁର ବ୍ଲକ କଲଣ ସୁଳିଆ ଗ୍ରାମର ସରୋଜ ସାହୁ ଦୀର୍ଘବର୍ଷ ହେବ ଉଠି ଆସି କୁମାରୀ ଗ୍ରାମର ଘର କରି ରହୁଥିଲେ । କିଛିବର୍ଷ ତଳେ ଗଛରୁ ପଡି ପକ୍ଷାଘାତ ରୋଗରେ ପୀଡିତ ହୋଇ ଦୁଇଗୋଡ ଅଚଳ ହେବା ପରେ ହୁଇଲ ଚେୟାର ସାହାଯ୍ୟରେ ସେ ଏଣେ ତେଣେ ଯାତାୟାତ କରୁଥିଲେ । ଜାରକାସ୍ଥିତ ପାଣ୍ଡୁଆରେ ଗଢି ଉଠିଥିବା ଦିବ୍ୟାଙ୍ଗ ସଂଗଠନ 'ଆମେ ବି ସକ୍ଷମ'ର ସେ ସହ ସଂପାଦକ ଭାବରେ କାର୍ଯ୍ୟ କରୁଥିଲେ । ସେ ଜଣେ ଉତମ କ୍ରୀଡାବିତ ଥିଲେ । ସେ ଚଲାବୁଲା ନକରି ବସି ରହିବା ଫଳରେ ବେଡସୋର ରୋଗରେ ଆକ୍ରାନ୍ତ ହୋଇଥିଲେ । ପରିବାର ଲୋକେ ତାଙ୍କୁ କଟକ ମେଡିକାଲରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପରିବାର ଲୋକେ ଉପସ୍ଥିତି ଥିଲେ । ତାଙ୍କ ମରଶରୀର ଜାରକାରେ ପହଂଚିବା ପରେ ଆମେବି ସକ୍ଷମ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରାରେ କୁମାରୀ ଘର ପର୍ଯ୍ୟନ୍ତ ନିଆଯାଇଥିଲା । ସଂଗଠନ ସଭାପତି କାହ୍ନୁ ଚରଣ ଦାଶ, ସଂପାଦକ କୈବଲ୍ୟ ମହାପାତ୍ର,ଉପଦେଷ୍ଟା ବିଜୟ କୁମାର ଦେବତା,ଉପ ସଭାପତି ପ୍ରଶାନ୍ତ କୁମାର ବେହେରା,କୋଷାଧ୍ୟକ୍ଷ ଦେବରାଜ ନାୟକ, ଉପେନ୍ଦ୍ର ରାଉତ, ଯୁଧିଷ୍ଠିର ନାୟକ,ଆତୋଶ ଜେନା ପ୍ରମୁଖ ଶତାଧିକ ଗ୍ରାମବାସୀତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ନିଆଯାଇ ବ୍ରାହ୍ମଣୀ ନଦୀ ତଟରେ ଶେଷକୃତ ସଂପନ୍ନ କରାଯାଇଥିଲା । ପୁଅ ଆଦିତ୍ୟ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ଅକାଳ ବିୟୋଗରେ ଜାରକା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ