
ପୁରୀ, ୧୦ ଡିସେମ୍ବର (ହି.ସ.) - ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁରୀ ସହରର ବିଭିନ୍ନ ସାହି, ଗଳିକନ୍ଦି, ଲେନ୍ ଏବଂ ବାଇ-ଲେନ୍ ଗୁଡ଼ିକୁ ସମୀକ୍ଷା କରିଛନ୍ତି । ଡିସେମ୍ବର ଓ ଜାନୁଆରୀ ମାସ ଭାରତର କୋଣ ଅନୁକୋଣରୁ ପର୍ଯ୍ୟଟକ ଓ ଭକ୍ତମାନଙ୍କ ଭିଡ଼ ବ୍ୟାପକ ଭାବେ ବୃଦ୍ଧି ପାଇବ । ସହରରେ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଉଦେଶ୍ୟରେ ଗଳି ଓ ଲେନ୍ ଗୁଡିକର ମାଇକ୍ରୋ ଲେଭେଲ୍ ଇନ୍ସପେକ୍ସନ୍ କରାଯାଇଛି ।
ସକାଳ୭ ଟାରୁ ଆରମ୍ଭ ହୋଇଥିବା ଏହି ସମୀକ୍ଷାରେ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। ପୁରୀ ଏସପି ଗାଣ୍ଡୁଆଚଉରା ଛକ, ବାରବାଟୀ ଜାଗା, ମଣିକର୍ଣ୍ଣିକା ସାହି, ଧାନକୁଟି ସାହି, କଦମଗଡ ଛକ, ଭୋଗଜାଗା, ଜହ୍ନୀମୁଣ୍ଡିଆ ଛକ, ଜେନେରୀ ଗଛ, ଲବଣିଖିଆ ଛକ, ମରଚିକୋଟ ଛକ ସହ ବିଭିନ୍ନ ସ୍ଥାନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମସ୍ତ ସ୍ଥାନ ମାଧ୍ୟମରେ ହଜାର–ହଜାର ଭକ୍ତ ଓ ପର୍ଯ୍ୟଟକ ପ୍ରତିଦିନ ଯାତାୟାତ କରନ୍ତି । ଏସପି ପୁରୀ ନିଜେ ଲେନ୍–ବାଇଲେନ୍ ଗୁଡ଼ିକର ଚଉଡ଼ା, ରାସ୍ତାର ଅବସ୍ଥା, ଅବରୋଧ, ଅସୁରକ୍ଷିତ ସ୍ଥାନ, ଅନାବଶ୍ୟକ ପାର୍କିଂ ବିଷୟରେ ନିଜେ ନିଜେ ନିରୀକ୍ଷଣ କରିଥିଲେ । ପୁରୀ ଏସପି ପ୍ରତୀକ ସିଂଙ୍କ କହିବାନୁଯାଇ ପୁରୀ ହେଉଛି ଜଗତର ଆସ୍ଥାର କେନ୍ଦ୍ର । ଆସନ୍ତା ପର୍ଯ୍ୟଟକ ଋତୁରେ ଲକ୍ଷଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଆସିବେ । ସେମାନଙ୍କ ସୁମଧୁର ଅନୁଭବ, ସୁରକ୍ଷା ପୁରୀ ପୋଲିସର ପ୍ରଥମ ଦାୟିତ୍ୱ । ସାହି, ଲେନ୍ ଓ ବାଇଲେନ୍ ଭିତରକୁ ଯାଇ ନିଜେ ସମୀକ୍ଷା କରିବା ଏହି ଲକ୍ଷ ରଖି ପୋଲିସ କାର୍ଯ୍ୟ ଆରମ୍ଭ କରିଛି। ଜନସାଧାରଣ କୌଣସି ବ୍ୟକ୍ତି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ପୋଲିସ୍କୁ ସୂଚନା ଦେବାକୁ କୁହାଯାଇଛି । ମହିଳାମାନେ ଯେକୌଣସି ସମସ୍ୟା ସାମ୍ନା କଲେ ଫୋନ ନମ୍ବର ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେଇପାରିବେ । ପର୍ଯ୍ୟଟକ ସୁରକ୍ଷା ଦୃଷ୍ଟିରେ ରଖି ପୁରୀ ପୋଲିସ ପର୍ଯ୍ୟାୟକ୍ରମେ ମାଇକ୍ରୋ ଲେଭେଲ ସମୀକ୍ଷା, ସୁରକ୍ଷା ବ୍ୟବସ୍ଥା, ରୁଟ୍ ପରିଚାଳନା, ପଦଚାରୀ ପେଟ୍ରୋଲିଂ ଜୋରଦାର ଚାଲୁଅଛି । ପୁରୀକୁ ଏକ ସୁନ୍ଦର, ସୁରକ୍ଷିତ ଓ ଆତ୍ମିୟ ପର୍ଯ୍ୟଟନ କେନ୍ଦ୍ର ଭାବେ ରଖିବା ଆମ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଏସପି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ