
ବଲାଙ୍ଗିର, ୧୧ ଡିସେମ୍ବର (ହି.ସ.)-
ଆସନ୍ତା ଡିସେମ୍ବର ୨୯ ତାରିଖରୁ ୨୦୨୬ ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ଭାଲେର ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି ୧୦୬ତମ ଧନୁଯାତ୍ରା ମହୋତ୍ସବ l ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଥିବା ବେଳେ ମହୋତ୍ସବ ପାଇଁ କିଛି ନେତୃସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଅତିଥି ଭାବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଛି l ଗତକାଲି ଭାଲେର ଧନୁଯାତ୍ରା ମହୋତ୍ସବର ସଭାପତି ରାଜକିଶୋର ନାଏକ, ସାଧାରଣ ସମ୍ପାଦକ ସୁମନ୍ତ ନାଏକ, ଉପସଭାପତି ଭାଗିରଥି ସେଠ, ସହସମ୍ପାଦକ ମନ ରାଉତ ଓ ଅନ୍ୟମାନେ ଭୁବନେଶ୍ବରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ଭାଲେରରେ ଅନୁଷ୍ଠିତ ୧୦୬ତମ ଧନୁଯାତ୍ରା ମହୋତ୍ସବରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି l ଏଥି ସହିତ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ, ମନ୍ତ୍ରୀ ଓ ସାଂସଦଙ୍କୁ ମଧ୍ୟ ଧନୁଯାତ୍ରାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଉଛି l
ଇତିମଧ୍ୟରେ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ଭୂମିକାରେ ସୁଦୂର ବରଗଡ ଜିଲ୍ଲା ଅନ୍ତର୍ଗତ ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ର ଅଭିନୟ କରିବେ ବୋଲି ଧନୁଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ