
ମାଲକାନଗିରି, ୧୦ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣାକୁ ଆଉ ୧୨ ଘଂଟା ବୃଦ୍ଧି କରିଛି ପ୍ରଶାସନ । ଗୁରୁବାର ରାତି୧୨ଟା ପର୍ଯ୍ୟନ୍ତ ଏହି କଟକଣାକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ଆଜି ସ୍ଥିତିର ସମୀକ୍ଷା କରିବା ପାଇଁ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଘଟଣାସ୍ଥଳ ତଥା ଏମଭି-୨୬ ଗ୍ରାମକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପକ୍ଷରେ ଏମଭି-୨୬ ଓ ରାଖେଲଗୁଡ଼ା ଗ୍ରାମରେ ଲୋକ ମାନଙ୍କ ମଧ୍ୟରେ ସମ୍ପ୍ରତି ଭୟର ବାତାବରଣ ଦେଖିବାକୁ ମିଳିଛି । ଦୁଇ ଗାଁରେ ୩୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ୩୦ ଜଣ ପୋଲିସ ଅଧିକାରୀ ଓ୧୧ ଜଣ ମାଜିଷ୍ଟ୍ରେଟ ଏହାର ତଦାରଖ କରୁଛନ୍ତି । ଏମଭି-୨୬ ଗ୍ରାମରେ ହିଂସାକାଣ୍ଡରେ ହୋଇଥିବା କ୍ଷୟକ୍ଷତି ବାବଦରେ ପ୍ରଶାସନ ପକ୍ଷରୁ ଆକାଳନ କରାଯାଉଛି ।
ପ୍ରକାଶଥାଉକି, ଗତ ୪ ତାରିଖ ଦିନ ପୋଟେରୁ ନଦୀରୁ ରାଖେଲଗୁଡ଼ା ଗ୍ରାମର ଲାକେ ପଡିଆମି ନାମକ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ହୋଇଥିଲା । ଏହି ଘଟଣା ପରେ ସମ୍ପୃକ୍ତ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହ ଏଥିରେ ଏମଭି-୨୬ ଗ୍ରାମର ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ଉକ୍ତ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଭଙ୍ଗାରୁଜା ଓ ପୋଡାଜଳା କରାଯାଇଥିଲା । ଗତକାଲି ଶବ ଉଦ୍ଧାର ହୋଇଥିବା ସ୍ଥାନ ଠାରୁ ୪୦ କି.ମି. ଦୂର ପୋଟେରୁ ନଦୀର କାଲିମେଳା ନିକଟସ୍ଥ କନ୍ୟାଶ୍ରମ ପୋଲ ନିକଟରୁ ମୃତ ମହିଳା ଲାକେଙ୍କ କଟା ମୁଣ୍ଡକୁ ଉଦ୍ଧାର କରିଥିଲା ପୋଲିସ । ଅପରପକ୍ଷେ ଗତ ୭ ଓ ୮ ତାରିଖରେ ଘଟିଥିବା ଏହି ହିଂସାକାଣ୍ଡ ପରେ ଜିଲ୍ଲାରେ ୮ ତାରିଖ ଠାରୁ ଇଂଟରନେଟ୍ ସେବା ବ୍ୟାହତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ