

ଜୟପୁର, ୧୧ ଡିସେମ୍ବର (ହି.ସ.)- ଜୟପୁର ବନଖଣ୍ଡ ବୋରିଗୁମ୍ମା ବ୍ଲକରୁ ଚଳିତ ଖରିଫ ଋତୁ ଧାନ ମଣ୍ଡିର ଶୁଭାରମ୍ଭ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଏଥିପାଇଁ ପ୍ରଶାସନ ତରଫରୁ ଚାଷୀଙ୍କ ଉନ୍ନତମାନର ଆବଶ୍ୟକୀୟ ଉପକରଣ ସାଙ୍ଗକୁ ଏଫଏକ୍ୟୁ ଧାନର ପରୀକ୍ଷା ପାଇଁ ଉନ୍ନତମାନର ଯନ୍ତ୍ରପାତି ଦିଆଯାଇଛି। ଚାଷୀଙ୍କ ପାଇଁ ମଣ୍ଡିରେ ସମସ୍ତ ବନ୍ଦୋବସ୍ତ କରିଛି ପ୍ରଶାସନ। ଜୟପୁର ଉପଖଣ୍ଡରେ ୮୩ଟି ମଣ୍ଡିରେ ଆଜି ଠାରୁ ଧାନ କିଣା ଆରମ୍ଭ ହେବ। ବୋରିଗୁମ୍ମା ବ୍ଲକରେ ପ୍ରାୟ ୨୨ଟି ମଣ୍ଡି ରହିଛି। କାମତା ଓ ବୋରିଗୁମ୍ମା ଲେମ୍ପସ ବ୍ୟତୀତ ପାଣିପଞ୍ଚାୟତ ଦ୍ୱାରା ମଣ୍ଡିରେ ଧାନ କିଣା ହେବ। ବୋରିଗୁମ୍ମା ମଣ୍ଡି ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ରୂପେ ଜୟପୁର ଉପଜିଲାପାଳ ଅକା ବରମ ଶସ୍ୟା ରେଡି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମାନସ ରଂଜନ ମହାପାତ୍ର, ଡ଼ିଆରସିଏସ ମୋନିକା ରାୟ, ବୋରିଗୁମ୍ମା ବିଡ଼ିଓ ସୁକାନ୍ତ କୁମାର ପଟନାୟକ, ତହସିଲଦାର ଶୋଭନ ବେହେରା, ବୋରିଗୁମ୍ମା ଲେମ୍ପ ସଭାପତି ଲାଲୁ ମଣି ସିଙ୍ଗ, ବରିଷ୍ଠ ଚାଷୀ ବିବେକାନନ୍ଦ ପଟନାୟକ ପ୍ରମୁଖ ଅତିଥିରୁପେ ଯୋଗ ଦେଇଥିଲେ। ବୋରିଗୁମ୍ମା ମଣ୍ଡିର ସମସ୍ତ ଚାଷୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ସମସ୍ତ ଚାଷୀଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା । ଚଳିତ ଥର ଧାନ କୁଇଣ୍ଟାଲ ପ୍ରତି ୨୩୬୯ ଟଙ୍କାରେ କିଣା ନେଇ ନୂଆ ବିଜେପି ସରକାରର ନିଷ୍ପତି ପରେ ଚାଷୀଙ୍କ ମନରେ ଖୁସି ଖେଳି ଯାଇଛି। ଚାଷୀ କିଭଳି ମଣ୍ଡିରେ ଠକମିର ଶିକାର ନ ହେବେ ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ହୋଇଛି। ଏମିତିକି କୌଣସି ଚାଷୀ ଯଦି କୌଣସି ଅସୁବିଧାର ଶିକାର ହେଲେ ସେ ଟୋଲ ଫ୍ରି ନମ୍ବରକୁ ଡାଏଲ କରିପାରିବେ ବୋଲି ସୂଚନା ଦିଆଯାଇଛି।ଚଳିତ ଖରିଫ ଋତୁରେ କିଭଳି ଧାନ କିଣା ହେବ ସେ ବିଷୟରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଏବଂ ଉପସ୍ଥିତ ଚାଷୀଙ୍କୁ ସୂଚନା ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି