
କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – ଚଳିତ ଖରିଫ ଧାନ କ୍ରୟ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲିକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ନିୟନ୍ତ୍ରିତ ବଜାର କମିଟିର ସଂପାଦକ ବିଦ୍ୟାଧର ବେହେରାଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ୯ ତାରିଖ ଠାରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯିବାକୁ ଥିବାବେଳେ ଏ ସମ୍ବନ୍ଧରେ ମଣ୍ଡିର ସମସ୍ତ କର୍ମକର୍ତା ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଇଛୁକ ଚାଷୀ ମାନଙ୍କର ନାମ ପଞ୍ଜିକରଣ, ସାଟେଲାଇଟ ଦ୍ୱାରା ଚିହ୍ନଟ କରାଯାଇଥିବା ଓ ସନ୍ଦେହ ଜନକ ଭାବରେ ଥିବା ଚାଷ ଜମିକୁ ଯାଂଚ କରିବା, ସମସ୍ତ ଧାନ ମଣ୍ଡିରେ ଆବଶ୍ୟକୀୟ ଭିତିଭୂମିର ପ୍ରସ୍ତୁତିକରଣ, ଧାନର ଗୁଣବତା ଯାଂଚ କରିବା ପାଇଁ ଅସ୍ଥାୟୀ ଭାବେ କ୍ୱାଲିଟି ଆନାଲାଇଜର ନିଯୁକ୍ତି, ଧାନ ମଣ୍ଡିର ନୋଡାଲ ଅଫିସର ଓ ସୁପର ଭାଇଜର ମାନେ ବିଭିନ୍ନ ମଣ୍ଡି ବୁଲି ଯାଂଚ କରିବା ସମ୍ବନ୍ଧରେ ଆଲୋଚନା କରା ଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି