
ତେହେରାନ, 13 ଡିସେମ୍ବର (ହି.ସ.)- ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ ନର୍ଗିସ୍
ମୋହମ୍ମଦୀଙ୍କୁ ପୁନର୍ବାର ଗିରଫ କରାଯାଇଛି। ଶୁକ୍ରବାର ଦିନ ସେ ଇରାନର ଦ୍ୱିତୀୟ ସବୁଠୁ ବଡ଼
ସହର ମଶହଦରେ ଏକ ଶୋକସଭାରେ ଅଂଶଗ୍ରହଣ କରୁଥିବା ସମୟରେ ଗିରଫ ହୋଇଥିଲେ। ଏହି ସମାରୋହର ଗୋଟିଏ
ଭିଡିଓରେ ସେ ହିଜାବ୍ ବିନା ଭିଡ଼କୁ ସମ୍ବୋଧନ କରି ସ୍ଲୋଗାନ୍ ଦେଇଥିବା ଦେଖାଯାଉଛି। ନରୱେର
ନୋବେଲ୍ କମିଟି ତାଙ୍କ ଗିରଫକୁ ନିନ୍ଦା କରି ତେହେରାନକୁ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା
ସହିତ ତାଙ୍କୁ ନିରସର୍ତ୍ତ ମୁକ୍ତ କରିବାକୁ ଆହ୍ୱାନ କରିଛି।
ମାଧ୍ୟମ ଗୋଷ୍ଠୀ ‘ଇରାନ୍
ଇଣ୍ଟରନ୍ୟାସନାଲ୍’ ମଶହଦର ଗଭର୍ନର୍ ହସନ୍ ହୁସେନୀଙ୍କ ଉଦ୍ଧୃତି ଦେଇ କହିଛି ଯେ, ଉତ୍ତର-ପୂର୍ବ ସହର ମଶହଦରେ ଏକ ଶୋକସଭା ସମୟରେ ସୁରକ୍ଷା ବଳ ନୋବେଲ୍
ଶାନ୍ତି ପୁରସ୍କାରରେ ସମ୍ମାନିତ ନର୍ଗିସ୍ ମୋହମ୍ମଦୀ ଓ ଅନ୍ୟାନ୍ୟ କିଛି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ
କରିଥିଲେ । ହୁସେନୀ ରାଜ୍ୟ ମାଧ୍ୟମକୁ କହିଛନ୍ତି ଯେ, ଭିଡ଼
ନିୟନ୍ତ୍ରଣରୁ ବାହାରିଯିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଗିରଫ କରାଯାଇଥିଲା।
ସେ ଆହୁରି କହିଛନ୍ତି ଯେ, ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ
ପକ୍ଷରୁ ଟକ୍କର ହେବାର ଆଶଙ୍କା ଥିବାରୁ ସୁରକ୍ଷା ଉଦ୍ଦେଶ୍ୟରେ ଏହି ଗିରଫ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା