
କୋଲକାତା, 13 ଡିସେମ୍ବର (ହି.ସ.)-ପଶ୍ଚିମବଙ୍ଗର ରାଜଧାନୀ
କୋଲକାତାର ଯୁବଭାରତୀ କ୍ରୀଡ଼ାଙ୍ଗଣରେ ଆନ୍ତର୍ଜାତୀୟ ଫୁଟବଲ ଖେଳାଳି ଲିଓନେଲ୍ ମେସିଙ୍କ
କାର୍ଯ୍ୟକ୍ରମ ସମୟରେ ଶନିବାର ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମର
ନିର୍ଦ୍ଧାରିତ ସମୟର ପୂର୍ବରୁ ହିଁ ଦର୍ଶକମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ। ଗ୍ୟାଲେରୀରେ ଭଙ୍ଗାରୁଜା
ହେବା ସହ ମୈଦାନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରାଯାଇଥିଲା। ସମଗ୍ର ଘଟଣାକ୍ରମ ପରେ
ଅସୁରକ୍ଷାର କାରଣରୁ ଆନ୍ତର୍ଜାତୀୟ ଖେଳାଳି ମେସିଙ୍କୁ କାର୍ଯ୍ୟକ୍ରମ ଅଧାରେ ଛାଡ଼ିବାକୁ
ପଡ଼ିଥିଲା। ଏହା ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି।
ଯୁବଭାରତୀ ମୈଦାନରେ ସକାଳ
୧୧.୩୦ଟା ସମୟରେ ମେସିଙ୍କ ଗାଡ଼ି ପହଞ୍ଚିଥିଲା। ମେସିଙ୍କ ସହ ତାଙ୍କ ପୁରୁଣା ସାଥୀ ଲୁଇସ୍
ସୁଆରେଜ୍ ଓ ରୋଡ୍ରିଗୋ ଡି’ପଲ୍ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଫୁଟବଲ
ପ୍ରେମୀଙ୍କ ପ୍ରବଳ ଭିଡ଼ ଜମା ହୋଇଥିଲା, କିନ୍ତୁ
ମେସି ଯେମିତି ଗାଡ଼ିରୁ ଓହ୍ଲାଇଥିଲେ, ତାଙ୍କୁ ଘେରିବାକୁ ଚେଷ୍ଟା
କରାଯାଇଥିଲା। ଏହାର ଫଳରେ ଗ୍ୟାଲେରୀରେ ଥିବା ଦର୍ଶକମାନେ ମେସିଙ୍କୁ କେବଳ ନୁହେଁ, ସୁଆରେଜ୍ ଓ ଡି’ପଲ୍ଙ୍କୁ ମଧ୍ୟ ଭଲଭାବେ ଦେଖି ପାରିନଥିଲେ। ଏହି
ସମୟରେ ଭିଡ଼ ମଧ୍ୟରୁ କିଛି ଲୋକ ‘ୱି ୱାଣ୍ଟ ମେସି’ ବୋଲି ନାରା ଦେବାକୁ ଲାଗିଥିଲେ।
ଏହା ମଧ୍ୟରେ ପରିସ୍ଥିତି
ନିୟନ୍ତ୍ରଣରୁ ବାହାରିଯାଇଥିଲା ଏବଂ କ୍ରୋଧିତ ଦର୍ଶକମାନେ ଗ୍ୟାଲେରୀର ଚୌକିଗୁଡ଼ିକୁ ଭାଙ୍ଗି ମୈଦାନ
ଭିତରକୁ ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ମୈଦାନରେ ଲାଗିଥିବା ଅନେକ ତମ୍ବୁକୁ ନିଆଁ ଲଗାଇବାକୁ
ମଧ୍ୟ ଚେଷ୍ଟା କରାଯାଇଥିଲା। ଏହି ସମୟରେ ପୁଲିସ୍ ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବା ଖୁବ କଠିନ
ହୋଇପଡ଼ିଥିଲା।
ସୂତ୍ର ଅନୁସାରେ, ଦୁଇରୁ ଅଢେଇ ହଜାର ଲୋକ ଫେନ୍ସିଂ ଭାଙ୍ଗି ମୈଦାନ ଭିତରକୁ ପ୍ରବେଶ
କରିଥିଲେ। କ୍ରୋଧିତ ଦର୍ଶକମାନେ ଷ୍ଟାଡିୟମର ଗୋଲପୋଷ୍ଟର ଜାଲ ଭାଙ୍ଗିଦେଇଥିଲେ ଏବଂ ଟନେଲର
ଛାୟାଙ୍କନ (କଭରିଂ) କୁ ନଷ୍ଟ କରିଥିଲେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୁଲିସକୁ ଏହି
ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ମଧ୍ୟ ଲାଠିଚାର୍ଜ କରିବାକୁ ପଡ଼ିଥିଲା।
ଏହା ମଧ୍ୟରେ ଅବ୍ୟବସ୍ଥାର
କାରଣରୁ ମେସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପୂରା କରିବା ପୂର୍ବରୁ ହିଁ ମୈଦାନ ଛାଡ଼ିବାକୁ
ବାଧ୍ୟ ହୋଇଥିଲେ। ମୈଦାନରେ ଲାଗିଥିବା ପ୍ରାୟୋଜକମାନଙ୍କ ବ୍ୟାନର ଫାଡ଼ିଦିଆଯାଇଥିଲା ଏବଂ କିଛି
ସ୍ଥାନରେ ଚୌକି ଫିଙ୍ଗାଯାଇଥିଲା।
ଏହି ସମଗ୍ର ଘଟଣା ପରେ
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଉପରେ ନିଜ ପ୍ରତିକ୍ରିୟା
ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, “ଶନିବାର ସକାଳେ ସଲ୍ଟଲେକ୍
ଷ୍ଟେଡିୟମରେ ଯେ ଅବ୍ୟବସ୍ଥା ଘଟିଲା, ତାହା ଦେଖି ମୁଁ
ଆଶ୍ଚର୍ଯ୍ୟଚକିତ ଏବଂ ବିଚଳିତ। ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମୁଁ ଲିଓନେଲ୍ ମେସି, ସମସ୍ତ କ୍ରୀଡାପ୍ରେମୀ ଏବଂ ତାଙ୍କ ସମର୍ଥକମାନଙ୍କୁ କ୍ଷମା
ପ୍ରାର୍ଥନା କରୁଛି।” ସେ ଏହା ମଧ୍ୟ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଏକ ବିଶେଷ ତଦନ୍ତ ସମିତି
ଗଠନ କରାଯାଇଛି।
ତଦନ୍ତ ସମିତିର ଅଧ୍ୟକ୍ଷତା
ସେବାନିବୃତ୍ତ ନ୍ୟାୟାଧୀଶ ଅସିମ କୁମାର ରାୟ କରିବେ। ଏହା ସହିତ ରାଜ୍ୟର ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ଏବଂ ଗୃହ ଓ ପର୍ବତୀୟ ବିଭାଗର ଅଧିକାରୀମାନେ
ମଧ୍ୟ ସମିତିର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ରହିବେ।
ମୁଖ୍ୟମନ୍ତ୍ରୀ କହିଥିଛନ୍ତି
ଯେ ସମିତି ଏହି ଘଟଣାର ଗଭୀର ସମୀକ୍ଷା କରିବ, ଦୋଷୀମାନଙ୍କୁ
ଚିହ୍ନଟ କରିବ ଏବଂ ଭବିଷ୍ୟତରେ ଏପରି ଘଟଣାଗୁଡ଼ିକର ପୁନରାବୃତ୍ତି ରୋକିବା ପାଇଁ ଆବଶ୍ୟକ
ସୁପାରିଶ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା