
ନୂଆଦିଲ୍ଲୀ, 13 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ,
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଶନିବାର ସଂସଦ ଭବନ ଉପରେ
ହୋଇଥିବା ଆତଙ୍କବାଦୀ ଆକ୍ରମଣର ବର୍ଷିକୀ ଅବସରରେ ବୀର ସହିଦମାନଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ
କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
୧୩ ଡିସେମ୍ବର ୨୦୦୧ ତାରିଖରେ
ଜୈଶ-ଏ-ମୋହମ୍ମଦ ଓ ଲଶ୍କର-ଏ-ତୋଇବାର ୫ ଜଣ ଆତଙ୍କବାଦୀ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ।
କିନ୍ତୁ ଭାରତୀୟ ସୁରକ୍ଷାକର୍ମୀମାନେ ଜୀବନକୁ ବାଜି ଲଗାଇ କେବଳ ଆତଙ୍କବାଦୀମାନଙ୍କର କୁମନୋସ୍କାମନାକୁ ବିଫଳ କରିନଥିଲେ, ବରଂ ସମସ୍ତଙ୍କୁ ନିହତ କରିଥିଲେ। ଏହି ଘଟଣାରେ ଦିଲ୍ଲୀ ପୁଲିସର
ପାଞ୍ଚ ଜଣ ଯବାନ,
ଜଣେ ମହିଳା କନଷ୍ଟେବଲ ଓ ଦୁଇ ଜଣ ସୁରକ୍ଷାକର୍ମୀ ନିଜ ଜୀବନ ବଳିଦାନ
ଦେଇଥିଲେ।
ଏହି ସହିଦମାନଙ୍କୁ ସ୍ମରଣ
କରି ରାଷ୍ଟ୍ରପତି ଏକ୍ସରେ କହିଛନ୍ତି ଯେ, “ରାଷ୍ଟ୍ର ସେହି ସାହସୀ ବୀରମାନଙ୍କୁ ସଲାମ ଜଣାଉଛି, ଯେଉଁମାନେ ୨୦୦୧ ମସିହାର ଆଜିର ଦିନେ ଆମ ସଂସଦକୁ ସୁରକ୍ଷା ଦେବା
ସମୟରେ ନିଜ ପ୍ରାଣ ବଳି ଦେଇଥିଲେ। ତାଙ୍କର ସାହସ ଓ କର୍ତ୍ତବ୍ୟନିଷ୍ଠା ଆମ ଜାତୀୟ ଭାବନାକୁ
ସର୍ବଦା ପ୍ରେରଣା ଦେଇ ଯିବ। ଦେଶ ସେମାନଙ୍କ ଓ ସେମାନଙ୍କ ପରିବାର ପ୍ରତି ସର୍ବଦା ଋଣୀ ରହିବ।
ଏହି ଦିନରେ, ଆମେ ଆତଙ୍କବାଦର ସମସ୍ତ ରୂପ ବିରୋଧରେ ଲଢ଼ିବା
ପାଇଁ ଭାରତର ଦୃଢ଼ ସଂକଳ୍ପକୁ ପୁନଃଦୃଢ଼ କରୁଛୁ।”
ଉପରାଷ୍ଟ୍ରପତି ସି.ପି.
ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ
ଆକ୍ରମଣ ସମୟରେ ବଳିଦାନ ଦେଇଥିବା ସୁରକ୍ଷାକର୍ମୀମାନଙ୍କୁ ଶ୍ରଦ୍ଧାପୂର୍ବକ ନମନ କରିଛନ୍ତି।
ରକ୍ଷାମନ୍ତ୍ରୀ ରାଜନାଥ ସିଂହ
କହିଛନ୍ତି, “ସଂସଦ ଭବନ ଉପରେ ହୋଇଥିବା ଭୀରୁତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣ
ସମୟରେ ଅଟୁତୁଟ ଢାଲ ଭଳି ଦୃଢ଼ ହୋଇ ଦେଖାଇଥିବା ସାହସୀ ସୁରକ୍ଷାକର୍ମୀମାନଙ୍କୁ ହୃଦୟରୁ ନମନ।
ଆମ ଗଣତନ୍ତ୍ରର ଆତ୍ମାକୁ ସୁରକ୍ଷା ଦେବା ପାଇଁ ସେମାନେ ନିଜ ପ୍ରାଣ ଦାନ କରିଥିଲେ। ସେମାନଙ୍କର
ସାହସ, ସର୍ବୋଚ୍ଚ ବଳିଦାନ ଏବଂ କର୍ତ୍ତବ୍ୟ ପ୍ରତି ଅତୁଟ ନିଷ୍ଠା ସର୍ବଦା
ଦେଶର ଚେତନାରେ ସଜୀବ ରହିବ ଏବଂ ଭାରତର ସଂକଳ୍ପକୁ ପ୍ରେରିତ କରିବ।”
ଗୃହମନ୍ତ୍ରୀ ଅମିତ ଶାହ
କହିଛନ୍ତି, “ଆଜିର ଦିନ ଆତଙ୍କବାଦ ବିରୋଧରେ ଆମ ସୁରକ୍ଷା ବଳମାନଙ୍କର ଅଦମ୍ୟ
ସାହସ ଓ ବୀରତାକୁ ପୁନର୍ବାର ସ୍ମରଣ କରିବାର ଦିନ। ୨୦୦୧ ମସିହାରେ ସୁରକ୍ଷା ବଳମାନେ ନିଜ ଦୃଢ଼
ସଂକଳ୍ପ ଓ ଉତ୍ସାହ ସହିତ ବିଶ୍ୱର ସର୍ବବୃହତ୍ ଲୋକତନ୍ତ୍ରର ମନ୍ଦିର—ଆମ ସଂସଦ ଭବନ ଉପରେ
ହୋଇଥିବା କାୟରତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଥିଲେ। ଆତଙ୍କବାଦୀମାନଙ୍କୁ
ମୁଁହତୋଡ଼ ଉତ୍ତର ଦେଇ ସହିଦ ହୋଇଥିବା ସେହି ସୁରକ୍ଷାକର୍ମୀମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ
କରୁଛି। ଏହି ରାଷ୍ଟ୍ର ସେହି ବୀର ଯୋଦ୍ଧାମାନଙ୍କର ବଳିଦାନ ଓ ସମର୍ପଣ ପାଇଁ ସର୍ବଦା ଋଣୀ
ରହିବ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା