
ସମ୍ବଲପୁର, ୧୪ ଡିସେମ୍ବର(ହି.ସ.) – ରାଜସ୍ଥାନ, ହରିୟାଣା ଏବଂ ଓଡିଶାର ସାଂସ୍କୃତିକ ଏକତା ପ୍ରଦର୍ଶନ ପାଇଁ ଚଳିତ ବର୍ଷ ସମ୍ବଲପୁରରେ ମାରୱାଡ ମହୋତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ରବିବାର ସମ୍ବଲପୁରର ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀଙ୍କୁ ନେଇ ମାରୱାଡ ମହୋତ୍ସବର ଆୟୋଜନ କମିଟୀର କର୍ମକର୍ଲାଙ୍କ ଏକ ଉପେଦଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପାଂଚଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସମ୍ବଲପୁରରେ ସେମାନଙ୍କୁ କିଭଳି ବିଶେଷ ଆତିଥ୍ୟସେବା ପ୍ରଦାନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଏହାସହ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏବଂ ଅଂଚଳର ପର୍ଯ୍ୟଟନସ୍ଥଳୀ, ଏତିହ୍ୟ ସଂସ୍କୃତି ବିଷୟରେ ଅତିଥି ମାନେ କିଭଳି ସଠିକ୍ ଭାବେ ଅବଗତ ହୋଇ ପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବା ଉପରେ ଆଲୋଚନା କରାଯାଇଥିଲା। ମାରୱାଡ ମହୋତ୍ସବରେ ସମ୍ବଲପୁରୀ ଖାଦ୍ୟ ଏବଂ ସମ୍ବଲପୁରୀ କପଡା ପ୍ରଦର୍ଶନୀ ଏବଂ ବିକ୍ରୟର ବ୍ୟବସ୍ଥା କରାଯିବାକୁ ବୁଦ୍ଧିଜୀବୀ ମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ବାହାରୁ ୧ ହଜାରରୁ ଉର୍ଦ୍ଧ୍ୱ ଅତିଥି ସାମିଲ ହେଉଥିବାରୁ ସମ୍ବଲପୁରର ଭାଷା ସଂସ୍କୃତି ଏବଂ ସ୍ୱତନ୍ତ୍ରତା ପ୍ରଚାର ପ୍ରସାର କରିବା ଦିଗରେ ବେଶ ସହାୟକ ହେବ ବୋଲି ଆଶା କରାଯାଇଛି। ଶେଷ ଥର ୨୦୧୨ ମସିହାରେ ସମ୍ବଲପୁରରେ ମାରୱାଡ ମହୋତ୍ସବର ଆୟୋଜନ ହୋଇଥିଲା। ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ମାରୱାଡ ମହୋତ୍ସବକୁ ସଫଳତାର ସହ ଆୟୋଜନ ପାଇଁ ଆୟୋଜନ କମିଟୀ ପକ୍ଷରୁ ଉପଦେଷ୍ଟା ମାନଙ୍କୁ ଠାରୁ ପରାମର୍ଶ ଗ୍ରହଣ କରାଯାଇଥିଲା। ଆୟୋଜନ କମିଟୀର ବରିଷ୍ଠ ସଦସ୍ୟ ଶ୍ୟାମସୁନ୍ଦର ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ, ଶ୍ୟାମ ସୁନ୍ଦର ଅଗ୍ରୱାଲ,ମହୋତ୍ସବ ସଂଯୋଜକ ପରାଗ ଅଗ୍ରୱାଲ, ସହ ସଂଯୋଜକ ଗଣେଷ ପାଲିୱାଲ, ବିପିନ ବିହାରୀ ନନ୍ଦ, ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ଗବେଷକ ଦିପକ ପଣ୍ଡା, ଡଃ ରାଜକୁମାର ବଡ଼ପଣ୍ଡା, ରାମଦାସ ପଣ୍ଡା, ସୁବ୍ରତ ପଣ୍ଡା, ତ୍ରିଲୋଚନ ତ୍ରିପାଠୀ, ମାନସ ରଞ୍ଜନ ବକ୍ସି, ଅରୁଣ ପୋଦ୍ଦାର, ନନ୍ଦ କିଶୋର ଅଗ୍ରୱାଲ, ମୁକେଶ ଜରିୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ