
ନୂଆପଡା, ୧୪ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୭୪ ଜଣ ସାମିଲ୍ ହୋଇ ଭାରତର ଚାରିଧାମ ମଧ୍ୟରୁ ଅନ୍ୟତମ ରାମେଶ୍ବରମ୍ ଯାତ୍ରା କରିଛନ୍ତି। ଯେଉଁ ବରିଷ୍ଠ ନାଗରିକମାନଙ୍କୁ ଏହି ଯୋଜନାରେ ଚୟନ କରାଯାଇଥିଲା ସେମାନେ ଆଜି ଆସି ନୂଆପଡା ପର୍ଯ୍ୟଟନ କାଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ମାନଙ୍କ ଦ୍ଵାରା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଇଥିଲା। ଏହି ତୀର୍ଥଯାତ୍ରୀ ମାନଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଗୋଲାପ ଫୁଲ ପ୍ରଦାନ କରି ଏକ ଆନନ୍ଦ ଦାୟକ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେ ଯେ, ଏହି ସମସ୍ତ ତୀର୍ଥଯାତ୍ରୀ ଭାଗ୍ୟବାନ l କାରଣ ଓଡ଼ିଶା ସରକାରଙ୍କ ସମୂର୍ଣ୍ଣ ନିଶୁଳ୍କ ସେବା ଯୋଜନାରେ ଏମାନେ ଭାରତବର୍ଷର ଦୁଇଟି ପ୍ରମୁଖ ତୀର୍ଥକ୍ଷେତ୍ର ରାମେଶ୍ବର ଓ ମା ମିନାକ୍ଷୀ, ମଦୁରାଇ ପରିଦର୍ଶନର ସୁଯୋଗ ପାଇଛନ୍ତି l ଏହି ଗସ୍ତ ପଛରେ ଜିଲ୍ଲା ପ୍ରଶାସନର ସଂପୂର୍ଣ୍ଣ ସହଯୋଗ ଓ ଶୁଭେଚ୍ଛା ରହିଛି l ଏହି ଦଳରେ ୧୭ଟି ଦମ୍ପତି ଓ ୪୦ ଜଣ ଏକକ ଯାତ୍ରୀ ଅଛନ୍ତି l ଦୁଇ ଜଣ ସହାୟକ ଅଧିକାରୀଙ୍କ ସହିତ ଦୁଇଟି ସତନ୍ତ୍ର ବସ ଯୋଗେ ସମସ୍ତେ ରାୟଗଡା ଯାତ୍ରା କରିଥିଲେ । ଆସନ୍ତାକାଲି ଅନ୍ୟ ଛଅଟି ଜିଲାର ତୀର୍ଥ ଯାତ୍ରୀ ମାନଙ୍କ ସହ ମିଶି ଏକ ସତନ୍ତ୍ର ରେଳ ଯୋଗେ ସମସ୍ତେ ରାମେଶ୍ଵରମ୍ ଅଭିମୁଖେ ଯାତ୍ରା କରିବେ । ମଦୁରାଇ ମଧ୍ୟ ପରିଭ୍ରମଣ କରି ଆସନ୍ତା ୨୦ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ l
ନୂଆପଡା ପର୍ଯ୍ୟଟନ କାର୍ଯ୍ୟାଳୟରେ ନୂଆପଡା ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘନଶ୍ୟାମ ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି ବସ୍ କୁ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ