ଶିଶୁ ସାହିତ୍ୟ ମୋହରେ ଯୁବପିଢ଼ି, ସେଲ୍ଫି ପଏଣ୍ଟ ଆକର୍ଷଣର କେନ୍ଦ୍ର
ଜାପାନ ଦେଶର ଗ୍ରାଫିକ ଉପନ୍ୟାସ ପଢ଼ିବା ପାଇଁ ଷ୍ଟଲରେ ଯୁବ ପାଠକଙ୍କ ଭିଡ଼ ଭୁବନେଶ୍ୱର ୧୪ ଡିସେମ୍ବର (ହି.ସ.) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଆଜି ରବିବାରର ଶୀତୁଆ ସନ୍ଧ୍ୟାରେ ପୁସ୍ତକ କିଣିବାକୁ ପ୍ରଦର୍ଶନୀ ପଡ଼ିଆ
ଶିଶୁ ସାହିତ୍ୟ ମୋହରେ ଯୁବପିଢ଼ି, ସେଲ୍ଫି ପଏଣ୍ଟ ଆକର୍ଷଣର କେନ୍ଦ୍ର


ଜାପାନ ଦେଶର ଗ୍ରାଫିକ ଉପନ୍ୟାସ ପଢ଼ିବା ପାଇଁ ଷ୍ଟଲରେ ଯୁବ ପାଠକଙ୍କ ଭିଡ଼

ଭୁବନେଶ୍ୱର ୧୪ ଡିସେମ୍ବର (ହି.ସ.) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଆଜି ରବିବାରର ଶୀତୁଆ ସନ୍ଧ୍ୟାରେ ପୁସ୍ତକ କିଣିବାକୁ ପ୍ରଦର୍ଶନୀ ପଡ଼ିଆରେ ପାଠକମାନଙ୍କର ବେଶ୍ ଭିଡ଼ ଜମିଥିଲା। ତେବେ ଚଳିତ ବର୍ଷର ପୁସ୍ତକ ମହୋତ୍ସବରେ ଶିଶୁ ସାହିତ୍ୟ, ଗ୍ରାଫିକ ଉପନ୍ୟାସର ଚାହିଦା ବେଶ୍‌ ବଢ଼ିଛି।

ପୁସ୍ତକ ମହୋତ୍ସବରେ ପ୍ରୀତମ୍ ପ୍ରକାଶନ ଏବଂ ସ୍କୋଲାଷ୍ଟିକ ଇଣ୍ଡିଆ ପ୍ରକାଶନ ତରଫରୁ ସ୍ୱତନ୍ତ୍ର ଭାବେ ଶିଶୁ ସାହିତ୍ୟ ଓ ଗ୍ରାଫିକ ଉପନ୍ୟାସକୁ ନେଇ ଷ୍ଟଲ ନିର୍ମାଣ କରାଯାଇଛି। ସାଇମନ ଓ ସୁଷ୍ଟର ପ୍ରକାଶନ ତରଫରୁ ମଧ୍ୟ ଗ୍ରାଫିକ ଉପନ୍ୟାସର ଷ୍ଟଲ ରହିଛି। ଏହିସବୁ ଷ୍ଟଲମାନଙ୍କରେ ଶିଶୁ ପାଠକ ଏବଂ ଯୁବପିଢ଼ିଙ୍କର ବେଶ୍ ଭିଡ଼ ଜମୁଛି।

ପ୍ରୀତମ୍ ପ୍ରକାଶନର ପ୍ରକାଶକ ମନୋରମା ବିଶ୍ୱାଳ ମହାପାତ୍ର କହିଛନ୍ତି ଯେ, ପ୍ରୀତମ୍ ପ୍ରକାଶନ ତରଫରୁ ୮୦ରୁ ଅଧିକ ଓଡ଼ିଆ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଛି। ବହୁ ପୁସ୍ତକ ହିନ୍ଦୀ, ବଙ୍ଗଳା ଓ ପଞ୍ଜାବୀ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି। ଆଜିର ମୋବାଇଲ ଯୁଗରେ ମଧ୍ୟ ଶିଶୁ ସାହିତ୍ୟର ଚାହିଦା କିଛି କମିନି, ବରଂ ଶିଶୁ ସାହିତ୍ୟ ପୁସ୍ତକ ସାହିତ୍ୟ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ବିଶେଷ ଭାବରେ ଯୁବପିଢ଼ି ଶିଶୁ ସାହିତ୍ୟ ପ୍ରତି ଆକୃଷ୍ଟ ହେବା ଶିଶୁ ସାହିତ୍ୟର ସ୍ୱର୍ଣ୍ଣିମ ଭବିଷ୍ୟତକୁ ସୂଚିତ କରୁଛି।

ସେହିପରି ଭାବେ ସ୍କୋଲାଷ୍ଟିକ ଇଣ୍ଡିଆ ଏବଂ ସାଇମନ ଓ ସୁଷ୍ଟର ପ୍ରକାଶନ ଷ୍ଟଲରେ ଗ୍ରାଫିକ ଉପନ୍ୟାସକୁ ସ୍ଥାନିତ କରାଯାଇଛି। ସ୍କୋଲାଷ୍ଟିକ ଇଣ୍ଡିଆ ଷ୍ଟଲରେ ଗେରୋନିମୋ ଷ୍ଟିଲଟନ ଶୃଙ୍ଖଳାର ଶିଶୁ ସାହିତ୍ୟ ପୁସ୍ତକ ରଖାଯାଇଛି ଯାହାକୁ ଶିଶୁ ପାଠକମାନେ ବେଶ୍ ପସନ୍ଦ କରୁଛନ୍ତି। ରଙ୍ଗୀନ କାଗଜ ଓ ସୁନ୍ଦର ଚିତ୍ରର ଦୁନିଆ ଶିଶୁ ପାଠକଙ୍କ ମନ ମୋହିବାରେ ବେଶ୍ ସଫଳ ହୋଇପାରିଛି।

ସାଇମନ ଓ ସୁଷ୍ଟର ପ୍ରକାଶନ ଷ୍ଟଲରେ ଜାପାନ ଦେଶର ପ୍ରସିଦ୍ଧ ଲେଖକ ଓସାମା ତେକୁକା, ଜୁନ୍‌ଜି ଇଟୋ, ମାସାଶି କିଶିମୋଟୋଙ୍କ ଗ୍ରାଫିକ ଉପନ୍ୟାସ ରହିଛି ଯାହା ଯୁବପିଢ଼ିଙ୍କୁ ଆକୃଷ୍ଟ କରିପାରିଛି। ଗ୍ରାଫିକ ଉପନ୍ୟାସରେ କମିକ୍ ଚରିତ୍ରକୁ ନେଇ କାହାଣୀର ସରଂଚନା କରାଯାଇଥାଏ, ଯାହାକି ବେଶ୍ ନିଆରା ଏବଂ ଏହାକୁ ଖୁବ କମ୍ ସମୟ ମଧ୍ୟରେ ପଢ଼ିହୁଏ। ତେଣୁ ଅନ୍ୟ ଉପନ୍ୟାସ ତୁଳନାରେ ଗ୍ରାଫିକ ଉପନ୍ୟାସ ଆମର ବେଶି ପସନ୍ଦ, ବୋଲି ଯୁବ ପାଠକମାନେ ମତ ରଖିଛନ୍ତି।

ପୁସ୍ତକ ମହୋତ୍ସବରେ ବିଭିନ୍ନ ପୁସ୍ତକ ବିକ୍ରେତାଙ୍କ ଷ୍ଟଲରେ ୫୦ ଟଙ୍କା, ୧୦୦ ଟଙ୍କା ଓ ୨୦୦ ଟଙ୍କା ମୂଲ୍ୟରେ ପ୍ରସିଦ୍ଧ ଲେଖକମାନଙ୍କର ପୁରୁଣା ବହି ସବୁ ଉପଲବ୍ଧ ହେଉଛି। ବିଦେଶୀ ଲେଖକ ଷ୍ଟିଫେନ୍‌ କିଙ୍ଗ, କଲିନ୍‌ ହୁଭର, ଜିଲିଆନ୍‌ ଫ୍ଲିନ, ଲିଆନ ମୋରିଆର୍ଟି, ଜନ ଗ୍ରୀସମ୍ ଭିକ୍ଟୋରିଆ ଏବେୟାର୍ଡ଼ଙ୍କ ଲିଖିତ ଫାଣ୍ଟାସି, ହରର, ଥ୍ରୀଲର ପୁସ୍ତକକୁ ଯୁବପିଢ଼ି ବେଶ୍ ପସନ୍ଦ କରୁଛନ୍ତି। କମ୍ ମୂଲ୍ୟରେ ନିଜ ପସନ୍ଦର ପୁସ୍ତକ ପାଇ ପାରୁଥିବାରୁ ପାଠକମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

ଚଳିତ ଥରର ପୁସ୍ତକ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ସାଜିଛି ସେଲ୍ଫି ପଏଣ୍ଟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଛି। ସେଲ୍ଫି ପଏଣ୍ଟରେ ମହାକବି ସାରଳା ଦାସଙ୍କ କୁଟୀର ଠାରୁ ନେଇ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, କବି ରମାକାନ୍ତଙ୍କ ରଚିତ ଶ୍ରୀରାଧା, କାଳଜୟୀ କବିତା ଚିଲିକା, ଉପନ୍ୟାସ ଯାଜ୍ଞସେନୀ, ପୁସ୍ତକ ନର କିନ୍ନର, ଯନ୍ତ୍ରାରୂଢ଼, ବୈଦେହୀଶ ବିଳାସ, ବୁକର ପୁରସ୍କାର ପ୍ରାପ୍ତ ପୁସ୍ତକ ଦ ସେଭେନ ମୁନ୍ସ ଅଫ୍ ମାଲି ଅଲମେଡ଼ା ଆଦିର ଫୋଟୋଚିତ୍ରକୁ ସେଲ୍ଫି ପଏଣ୍ଟରେ ସ୍ଥାନିତ କରାଯାଇଛି। ସେଲ୍ଫି ପଏଣ୍ଟରେ ପାଠକମାନେ ଫୋଟୋ ଉଠାଇ ପୃଷ୍ଠା ଖୋଲନ୍ତୁ, ସ୍ୱପ୍ନକୁ ଜାଗ୍ରତ କରନ୍ତୁ ହ୍ୟାଚ୍‌ଟ୍ୟାଗ ବ୍ୟବହାର କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ବହି କିଣିବା ଓ ବହି ପଢ଼ିବାର ପରମ୍ପରାକୁ ଲୋକପ୍ରିୟ କରିବା ନିମନ୍ତେ ସେଲ୍ଫି ପଏଣ୍ଟ ତିଆରି ହେବା ଏବଂ ସେଠାରେ ଆମ ସାହିତ୍ୟ ଜଗତର ସାରସ୍ୱତ କୃତିକୁ ସ୍ଥାନିତ କରିବା ଏକ ସୁନ୍ଦର ପ୍ରୟାସ ବୋଲି ସାଧାରଣରେ ମତପ୍ରକାଶ ହୋଇଛି।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷର ପୁସ୍ତକ ମହୋତ୍ସବରେ ୫୫୦ଟି ଷ୍ଟଲ ନିର୍ମାଣ ହେବା ସହ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ପୁସ୍ତକ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ପାଠକମାନେ ବହି କିଣିବା ସହ କୋରାପୁଟ କଫିର ମଜା ନେଉଛନ୍ତି ଓ ଫୁଡ଼ ଷ୍ଟଲରେ ମିଲେଟ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ଖାଦ୍ୟକୁ ବେଶ୍ ପସନ୍ଦ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande