
ବଲାଙ୍ଗିର, ୧୪ ଡିସେମ୍ବର (ହି.ସ.)-
ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡିଶାର ଚାଷୀଙ୍କ ଧାନ ଅମଳ ହେବାପରେ ମଧ୍ୟ ମଣ୍ଡି ଖୋଲି ସରକାର ଧାନ କିଣୁନାହାଁନ୍ତି । ମଣ୍ଡି ନଖୋଲି ଧାନ ନକିଣିବା ସରକାରଙ୍କର ଏକ ବଡ ଷଡଯନ୍ତ୍ର ବୋଲି ଅଭିଯୋଗ ଉଠାଇଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ର । ତେଣୁ ପଶ୍ଚିମାଞ୍ଚଳର ସମସ୍ତ ଚାଷୀ ଏକ ହୋଇ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି । ଆଜି ସ୍ଥାନୀୟ ଏସଜେ ରିଜେନ୍ସୀ ହୋଟେଲ ଠାରେ କୋସଲୀ କିଷାନ ସଭା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଶ୍ରୀ ମିଶ୍ର କହିଲେ ଯେ, ଚାଷୀମାନେ ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେଲା ଧାନ ଅମଳ କରି ଖରାରେ ସୁଖାଉଛନ୍ତି । ଡିସେମ୍ବର ୧୪ ତାରିଖ ସୁଦ୍ଧା ଜିଲ୍ଲାରେ ଧାନମଣ୍ଡି ଖୋଲାଯାଇନାହିଁ । ମଣ୍ଡି ଖୋଲିବାର ବ୍ୟବସ୍ଥା କରାଯାଇ ନାହିଁ । ଏପରିକି ମାତ୍ର ୧୦ ପ୍ରତିଶତ ଚାଷୀଙ୍କର ଟୋକନ ଆସିଛି । ଯେଉଁମାନଙ୍କର ଟୋକନ ଆସିଛି ସେମାନେ ମଣ୍ଡିକୁ ଧାନ ନେଲେ କିଣାଯାଉନାହିଁ । ସେଥିପାଇଁ ଚାଷୀମାନେ ଧାରକରଜ କରି କରିଥିବା ଚାଷର ଫସଲକୁ କମ ଦରରେ ଦଲାଲଙ୍କ ପାଖରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ବରଗଡ ଜିଲ୍ଲାରେ ଚାଷୀମାନେ ତାତିଲେଣି ଓ ଆନ୍ଦୋଳନକୁ ଓହ୍ଲାଇଲେଣି । ତେଣୁ ପଶ୍ଚିମ ଓଡିଶାର ସମସ୍ତ ଚାଷୀ ଓ ସଂଗଠନମାନେ ଏକ ହୋଇ ସବୁ ଜିଲ୍ଲାରେ ଆନ୍ଦୋଳନ କରନ୍ତୁ ବୋଲି ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଆହ୍ୱାନ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ୫ ଦିନ ମଧ୍ୟରେ ମଣ୍ଡି ଖୋଲି ଧାନ କିଣା ନଗଲେ ଚାଷିଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବୁ ଓ ସେଥିପାଇଁ ଯଦି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତାହେଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି ।
ଶ୍ରୀ ମିଶ୍ର ଆହୁରି କହିଲେ ଯେ, ବିଗତ ବର୍ଷମାନଙ୍କରେ ଚାଷିଙ୍କ ସୁଖିଲା ଧାନରୁ ୫ କେଜି ଲେଖାଏଁ ମଣ୍ଡିକଟ କରାଯାଇଥିଲା । ଯାହାକି ଚାଷିଙ୍କ କଷ୍ଟଲବ୍ଧ ଫସଲରୁ ଲୁଟ ବୋଲି କୁହାଯିବ । ସରକାର ଇନପୁଟ ଏସିଷ୍ଟାନ୍ସ ଦେଉଛନ୍ତି କିନ୍ତୁ ଏପଟେ କ୍ୱିଣ୍ଟାଲ ପିଚ୍ଛା ୫ କିଲୋ ଧାନ କାଟିଛନ୍ତି । ଫଳରେ ଚାଷିଙ୍କ ମୁଣ୍ଡରେ କ୍ଷତି ଜବରଦସ୍ତି ଲଦି ଦିଆଯାଉଛି । ଆଗକୁ କୋସଲୀ କିଷାନସଭା ପକ୍ଷରୁ ଚାଷିଙ୍କୁ ଏକଜୁଟ କରି ଆନ୍ଦୋଳନକୁ ଓହ୍ଲାଇବୁ ଓ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଚାଷି ଏକ ହୋଇ ଲଢେଇ କରିବାକୁ ବାଳଗୋପାଳ ଆହ୍ୱାନ ଦେଇଥିଲେ । ଠିକ ସେହିପରି ବଲାଙ୍ଗୀର ଜିଲ୍ଲାରେ ଚାଷିଙ୍କ ସମସ୍ୟାକୁ ସରକାର ଅଣଦେଖା କରିଚାଲିଛନ୍ତି । ଜିଲ୍ଲାରେ ଜଳସେଚନ ହାର ବଢି ପାରୁନାହିଁ । ବଲାଙ୍ଗୀର ସହର ମଧ୍ୟରେ ଗୋଟିଏ ସମୟରେ ଆଦର୍ଶ ବଗିଚାରେ କୃଷି ଗବେଷଣା କରାଯାଉଥିଲା । ବିଭିନ୍ନ ପ୍ରଜାତିର ଫଳଗଛ, ଫୁଲଗଛ ତଥା ଫସଲମାନଙ୍କୁ ନେଇ ଗବେଷଣା କରାଯାଉଥିଲା । କିନ୍ତୁ, ଆଜି ବଲାଙ୍ଗୀର ଅବହେଳିତ ହୋଇ ପଡିରହିଛି । କୃଷି ବିଶ୍ୱବିଦ୍ୟାଳୟ ବଲାଙ୍ଗୀରର ନ୍ୟାର୍ଯ୍ୟ ଦାବି । କିନ୍ତୁ ବଲାଙ୍ଗୀରର ଦୁର୍ବଳ ନେତୃତ୍ୱ ଯୋଗୁଁ ତାହା ହୋଇପାରୁନାହିଁ । ଯଦି ବଲାଙ୍ଗୀରରେ ଏହା ସ୍ଥାପନ ନହେଲା ତାହେଲେ ଆଗାମୀ ଭବିଷ୍ୟତର ପିଢୀ ସେହି ନେତାଙ୍କୁ କ୍ଷମା କରିବେ ନାହିଁ ବୋଲି ପୂର୍ବତନ ସାଂସଦ ଶ୍ରୀ ମିଶ୍ର କହିଥିଲେ ।
ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ କୁସମେଲ ସରପଞ୍ଚ କୌସ୍ତୁଭ ସାହୁ, ଝରନୀପାଲି ସମିତିସଭ୍ୟ ନରେଶ ସାହୁ, ସରଗାଡ ସମିତିସଭ୍ୟ ବୀରେନ ସାହୁ, ପଟୁଆପାଲି ପେକ୍ସର ସଭାପତି ପ୍ରମୋଦ ମିଶ୍ର ଓ ଆଗଲପୁର ପେକ୍ସ ସଭାପତି ଦେବେନ୍ଦ୍ର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ