
ନୂଆଦିଲ୍ଲୀ, ୧୫ ଡିସେମ୍ବର (ହି.ସ.)- କିଛି ଦିନର ଆଶ୍ୱସ୍ତି ପରେ, ସୋମବାର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଥରେ ବିପଜ୍ଜନକ ସ୍ତରରେ ପହଂଚିଛି । ସୋମବାର ମଧ୍ୟାହ୍ନ ୧୨ଟାରେ, ଦିଲ୍ଲୀର ଅନେକ ଅଂଚଳରେ ବାୟୁ ଗୁଣବତା ସୂଚକାଙ୍କ(ଏକ୍ୟୁଆଇ) ୫୦୦ କିମ୍ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି, ଯାହା ରାଜଧାନୀକୁ ପୁଣି ଥରେ ଗୁରୁତର ପ୍ରଦୂଷଣର କବଳରେ ପକାଇ ଦେଇଛି ।
ବଢ଼ୁଥିବା ଥଣ୍ଡା ଏବଂ ଦୁର୍ବଳ ପବନର ବେଗ ଯୋଗୁଁ, ପ୍ରଦୂଷଣର ସୂକ୍ଷ୍ମ କଣିକାଗୁଡ଼ିକ ଅଧିକ ସମୟ ପାଇଁ ବାୟୁମଣ୍ଡଳରେ ରହିଥାଏ । ସକାଳ ଏବଂ ରାତିରେ ଘନ କୁହୁଡ଼ି ଲାଗି ରହିଥିଲା । ରାତି ୨ଟା ୩୦ ରେ ଦୃଶ୍ୟମାନତା ପ୍ରାୟ ୧୦୦ ମିଟର ରେକର୍ଡ କରାଯାଇଥିଲା, କିନ୍ତୁ ସକାଳ ୬ଟା ୩୦ ସୁଦ୍ଧା ଏହା ୫୦ ମିଟରକୁ ହ୍ରାସ ପାଇଥିଲା । ନୋଏଡା, ଗ୍ରେଟର ନୋଏଡା ଏବଂ ଦିଲ୍ଲୀ ସଂଲଗ୍ନ ଗାଜିଆବାଦରେ ମଧ୍ୟ ବାୟୁ ଗୁଣବତା ଅତ୍ୟନ୍ତ ଖରାପ ରହିଛି । ଗାଜିଆବାଦର ଇନ୍ଦିରାପୁରମରେ ଏକ୍ୟୁଆଇ ୪୭୭, ସଞ୍ଜୟ ନଗରରେ ଏକ୍ୟୁଆଇ ୪୨୬ ଏବଂ ବସୁନ୍ଧରାରେ ଏକ୍ୟୁଆଇ ୪୯୦ ରେକର୍ଡ କରାଯାଇଛି, ଯାହା ସମସ୍ତ ଗମ୍ଭୀର ବର୍ଗରେ ଅନ୍ତର୍ଭୁକ୍ତ । ନୋଏଡାର ସେକ୍ଟର ୧୨୫ରେ ଏକ୍ୟୁଆଇ ୪୬୧, ସେକ୍ଟର ୬୨ରେ ୪୨୦ ଏବଂ ସେକ୍ଟର ୧୧୬ରେ ୪୮୪ ରେକର୍ଡ କରାଯାଇଛି । ଗ୍ରେଟର ନୋଏଡାର ନଲେଜ୍ ପାର୍କ ୫ ଅଂଚଳରେ ଏକ୍ୟୁଆଇ ୪୫୨ ରେକର୍ଡ କରାଯାଇଛି । ଏହା ସ୍ପଷ୍ଟ ଭାବରେ ସୂଚାଇଥାଏ ଯେ, ସମଗ୍ର ଜାତୀୟ ରାଜଧାନୀ ଅଂଚଳ ପ୍ରଦୂଷଣ କବଳରେ ଅଛି ଏବଂ ପରିସ୍ଥିତି ଦିନକୁ ଦିନ ଖରାପ ହେଉଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଡିସେମ୍ବର ୧୫ ତାରିଖରେ ଦିଲ୍ଲୀର ଆକାଶ ପ୍ରାୟତଃ ସଫା ରହିବ, କିନ୍ତୁ ସକାଳେ ଅଧିକାଂଶ ଅଂଚଳରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖା ଦେଇପାରେ । ରାଜଧାନୀରେ ସର୍ବାଧିକ ତାପମାତ୍ରା ୨୪ ରୁ ୨୬ ଡିଗ୍ରୀ ସେଲସିୟସ୍ ମଧ୍ୟରେ ଏବଂ ସର୍ବନିମ୍ନ ତାପମାତ୍ରା ୭ ରୁ ୯ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ । ଡିସେମ୍ବର ୧୬ ତାରିଖରେ ପାଣିପାଗରେ ମଧ୍ୟ କୌଣସି ବଡ ପରିବର୍ତନର ସମ୍ଭାବନା ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ