
ନୂଆପଡ଼ା, ୧୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକୁଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହାସମାରୋହରେ ପାଳିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁଚରଣ ନାୟକ, ସଭାପତି ଭାବରେ ଗୋଷ୍ଠୀ ସମ୍ବଳ ସଂଯୋଜକ ଜୟଦେବ ପଣ୍ଡା, ସମ୍ମାନିତ ଅତିଥି ଭାବରେ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱୟ ପରେଶ କୁମାର ପଣ୍ଡା ଓ ଅମୂଲ୍ୟ କୁମାର ଦାସ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଜତ କୁମାର ସାହୁ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ଦାସ, ତୁକୁଲା କ୍ଲଷ୍ଟର ସଂଯୋଜକ ସୁମିତ କୁମାର ଦାସ ଯୋଗଦେଇ ଆଗାମୀ ୨୦୩୬ ମସିହାରେ ଓଡ଼ିଶାର କଳା ଓ ସଂସ୍କୃତି କିପରି ଭାବରେ ଓଡ଼ିଶାକୁ ବିକଶିତ କରିବ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହାପରେ ବ୍ଲକର ପ୍ରାୟ ପାଞ୍ଚଶହ ପ୍ରତିଯୋଗୀ ଛବିଶଟି ପ୍ରତିଯୋଗିତାରେ ଭାଗ ନେଇଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ତ୍ରୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା ଓ ତନୟା ଶବର, ସ୍ଥାନୀୟ ସରପଞ୍ଚ ନୀଳେନ୍ଦ୍ରୀ ମେହେରଙ୍କ ସହିତ ସମାଜସେବୀ ଅକ୍ଷୟ ନନ୍ଦ ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହାପରେ ବିଭିନ୍ନ କ୍ଲଷ୍ଟରର ସତର ଗୋଟି ସାଂସ୍କୃତିକ ଦଳ ଓଡ଼ିଶାର ହଜିଯାଉଥିବା ଲୋକକଳା ଗୁଡ଼ିକୁ ଚମତ୍କାର ଭାବରେ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଭାଵରେ ଗୋଡଧୁଆପଦର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଜିଲା ସ୍ତରରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଇଭେଣ୍ଟ ମ୍ୟାନେଜର ଭାବରେ ସମସ୍ତ ସିଆରସିସି ମାନେ ସଫଳ ଭାବରେ ପ୍ରତିଯୋଗିତା ଗୁଡ଼ିକୁ ସମ୍ପାଦନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସିଆରସିସି ପ୍ରଫୁଲ୍ଲ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିବା ପାଇଁ ସମସ୍ତ କ୍ଲଷ୍ଟରର ସିଆରସିସି ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ