
କେନ୍ଦ୍ରାପଡ଼ା, ୧୮ ଡିସେମ୍ବର(ହି.ସ.) – କ୍ୟାନସର ରୋଗ ସହ ଯୁଝୁଥିବା ଜଣେ ଅସହାୟ ମା’ଙ୍କ ପାଇଁ ସରକାରୀ ସହାୟତା ଯେଉଁଠି ଆଶ୍ୱାସନା ହେବା ଉଚିତ, ସେଇଠି ବ୍ୟାଙ୍କ ନୋଟିସ୍ ଓ ଧମକ ତାଙ୍କୁ ଆହୁରି ଭାଙ୍ଗି ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅଧିନ ବ୍ରହ୍ମପୁର ଗ୍ରାମର କ୍ୟାନସର ପୀଡ଼ିତା କଳ୍ପନା ପଣ୍ଡାଙ୍କ ଘଟଣା ଏବେ ସମଗ୍ର ଜିଲ୍ଲାରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି। ଗତ ସେପ୍ଟେମ୍ବର ୨୩ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ସାମ୍ୱାଦିକମାନେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟି କ୍ୟାନସର ରୋଗୀ କଳ୍ପନା ପଣ୍ଡାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବୀ କରିଥିଲେ। କଳ୍ପନା ପଣ୍ଡା ହେଉଛନ୍ତି ପେଶାରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର କ୍ୟାମେରାମ୍ୟାନ ଥିବା ରମାକାନ୍ତ ପଣ୍ଡାଙ୍କ ମା’ ଦୀର୍ଘ ସମୟ ଧରି କ୍ୟାନସର ରୋଗରେ ପୀଡ଼ିତ ହୋଇ ସେ କଟକରେ ପ୍ରାୟ ୫ ମାସରୁ ଅଧିକ ସମୟ ଚିକିତ୍ସାଧୀନ ଥିଲେ। ମୁହଁରେ ଜଟିଳ ଅପରେସନ ସହ ୩୨ ଥର ରେଡିଏସନ(ଲାଇଟ) ହେବା ପରେ କିଛି ପରିମାଣରେ ସୁସ୍ଥ ହୋଇଥିଲେ। ନିଜ ମା’ଙ୍କ ଜୀବନ ବଂଚାଇବାକୁ ରମାକାନ୍ତ ପଣ୍ଡା ବିଭିନ୍ନ ସ୍ଥାନରୁ ଋଣ ଓ ସହାୟତା ମାଗି ପ୍ରାୟ ୩ ଲକ୍ଷ ଟଙ୍କା ଯୋଗାଡ଼ କରି ଚିକିତ୍ସାରେ ବ୍ୟୟ କରିଥିଲେ। କିନ୍ତୁ ଅର୍ଥାଭାବ ହେତୁ ପରେ ଦୈନିକ ଔଷଧ ଦେଇପାରିବା ସମ୍ଭବ ହୋଇନଥିଲା। ଏହି ଦୁଃଖଦ ପରିସ୍ଥିତି ସାମ୍ୱାଦିକମାନଙ୍କୁ ଜଣାଇବା ପରେ, ସେମାନଙ୍କ ସହ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀପତ୍ର ଦିଆଯାଇଥିଲା କ୍ଷ ଦାବୀପତ୍ର ଦିଆଯିବାର ଦୁଇ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ସିଏମଆରଏଫ୍ ତହବିଲରୁ ୫୦ ହଜାର ଟଙ୍କା ସହାୟତା ମିଳିଥିଲା। ସେହି ଟଙ୍କାରେ କଳ୍ପନାଙ୍କ ବିଭିନ୍ନ ପରୀକ୍ଷା-ନିରୀକ୍ଷା ସହ ଆବଶ୍ୟକ ଔଷଧ କିଣାଯାଇଥିଲା। ଘଟଣାକୁ ତିନି ମାସ ବିତିଯାଇଥିବାବେଳେ ହଟାତ୍ ବ୍ୟାଙ୍କ ପକ୍ଷରୁ ଏକ ନୋଟିସ୍ ଆସି ନୂଆ ସଙ୍କଟ ସୃଷ୍ଟି କରିଛି। ନୋଟିସ୍ରେ ତୁରନ୍ତ ଟଙ୍କା ଫେରାଇବାକୁ ଲେଖାଯାଇଥିବା ସହ, କଳ୍ପନାଙ୍କ ବଡ ପୁଅଙ୍କ ଆକାଉଂଟରେ ବ୍ୟାଙ୍କ ୪୧ ହଜାର ଜମା କରି ସେହି ଟଙ୍କାକୁ କାଟି ନିଆଯାଇଛି। ଏହାସହ ଆକାଉଂଟରେ ଥିବା ତାଙ୍କ ନିଜସ୍ୱ ସେଭିଂ ୩,୫୦୦ ଟଙ୍କା ମଧ୍ୟ କାଟି ନିଆଯାଇ ଆକାଉଂଟକୁ ଶୂନ୍ୟ କରାଯାଇଛି। ଏନେଇ ଶାଳୀକଂଟା ଏସବିଆଇ ବ୍ୟାଙ୍କରେ ପଚାରିବାରୁ କର୍ମଚାରୀମାନେ କହିଥିଲେ ଯେ ଭୁଲରେ ୫ ହଜାର ବଦଳରେ ୫୦ ହଜାର ଟଙ୍କା ତୁମ ମାଙ୍କ ଆକାଉଂଟକୁ ୩ ମାସ ତଳେ ଯାଇଥିଲା। ତୁରନ୍ତ ସେହି ଟଙ୍କା ଫେରସ୍ତ ନକଲେ ପରିବାରର ସମସ୍ତ ଆକାଉଂଟ ବନ୍ଦ କରିଦିଆଯିବ। ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ବଜାର ଏସବିଆଇ ବ୍ୟାଙ୍କର ନାଁ କହି ପୂର୍ବରୁ ସମସ୍ତ ସରକାରୀ ସହାୟତା କାଟିଦେବା ଓ ଥାନାରେ ଏତଲା ଦେଇ ଗିରଫ କରାଯିବାର ଧମକ ମଧ୍ୟ ଦିଆଯାଇଥିଲା। ଏହି ମାନସିକ ଚାପରେ କ୍ୟାନସର ରୋଗୀ କଳ୍ପନା ପଣ୍ଡା ଗତ ୫ ଦିନ ହେଲା ଖାଦ୍ୟପେୟ ମଧ୍ୟ ଗ୍ରହଣ କରିପାରୁନଥିବା ଜଣାପଡ଼ିଛି। ପ୍ରଶ୍ନ ଉଠୁଛି ଯେ ଭୁଲ କଲା କିଏ? ଆଉ ଦଣ୍ଡ ପାଉଛି କିଏ? ଏନେଇ କଳ୍ପନା ପଣ୍ଡା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆରବିଆଇ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିବା ସହ ଘଟଣାର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଚିହ୍ନଟ କରିବା ସହ ରୋଗୀଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି