
ଚମ୍ପୁଆ, ୧୮ ଡିସେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ରାଜ୍ୟ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ ସ୍ଥଳୀ ସରେଇ କେଶରୀକୁଣ୍ଡ ଠାରେ ଆଗାମୀ ମକର ମେଳା ନିମନ୍ତେ ଗ୍ରାମର ବାବା ସୋମନାଥ ଯୁବକ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ସମାଜସେବୀ ବିଧୂଭୂଷଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ମକର ମେଳା କିପରି ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରାଯାଇଥିଲା। ମକର ମେଳାରେ ଯାନବାହାନ ପାର୍କିଂ ବ୍ୟବସ୍ଥା, ମେଳା ବସିବା ସ୍ଥାନ, ଶ୍ରଦ୍ଧାଳୁ ମାନେ ମକର ବୁଡ ପକାଉ ଥିବା କୁଣ୍ଡ ସଫେଇ, ଗମନା ଗମନର ସୁବ୍ୟବସ୍ଥା, ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ, ଦୋକାନ ବଜାର ବସିବାକୁ ଥିବା ସ୍ଥାନ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶ୍ରଦ୍ଧାଳୁ ମାନେ କିପରି ଶାନ୍ତିଶୃଙ୍ଖଳାର ସହ ମକର ବୁଡ ପକାଇବା ସହ ନଦୀଶଯ୍ୟା ଓ କୁଣ୍ଡ କିପରି ଆବର୍ଜନା ମୁକ୍ତ ହେବ ସେନେଇ ବାବା ସୋମନାଥ ଯୁବକ ସଂଘ ପକ୍ଷରୁ ଅଞ୍ଚଳ ବାସୀଙ୍କ ସହଯୋଗ ଲୋଡା ଯାଇଥିଲା। ଏହି ବୈଠକରେ ସରେଇ ସରପଂଚ ସୁଶାନ୍ତ ନାଏକ, ସଂଘ ସଭାପତି ବିମ୍ବାଧର ନାଏକ, ସମ୍ପାଦକ ପ୍ରଦିପ ପତି, କୋଷାଧ୍ୟକ୍ଷ ଅଶୋକ କୁମାର ନନ୍ଦ, ସଭ୍ୟ ଶାନ୍ତନୁ ନାୟକ, ସନ୍ଦୀପ ପତି, ପ୍ରେମାନନ୍ଦ ନାୟକ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta