
ଗଞାମ, ୧୮ ଡିସେମ୍ବର (ହି.ସ.)- ବିଧାୟକ ମାନଙ୍କ ତିନିଗୁଣା ଦରମା ବୃଦ୍ଧିକୁ ନେଇ ଗଂଜାମ ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଜନସାଧାରଣ ତଥା ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କଥା ବିଚାରକୁ ନନେଇ ସେମାନଙ୍କ ପାରିଶ୍ରମିକ ବୃଦ୍ଧି ନକରି ଏକତରଫା ଭାବେ ବିଧାୟକ ଓ ମନ୍ତ୍ରୀ ମାନଙ୍କ ଦରମା ବୃଦ୍ଧି କରିଥିବାରୁ ଜନ ସାଧାରଣ ଏହାକୁ ନାପସନ୍ଦ କରୁଛନ୍ତି । ଜଣେ ମନ୍ତ୍ରୀ ଓ ବିଧାୟକ ସାଢେ ତିନି ଲକ୍ଷରୁ ଊର୍ଦ୍ଧ ଟଂକା ମାସିକ ଦରମା ହୋଇଥିଲେ ମଧ୍ଧ ଏହା ତାଙ୍କ ପାଇଁ କୁଆଡେ ନିଅଣ୍ଟ ହେଉଛି । ତବେ ଜଣେ ଅଂଗନବାଡି କର୍ମୀ ମାସିକ ୧୦ ହଜାର, ସହାୟିକା ୫ ହଜାର ଟଂକା ଦରମା ପାଇ ଏ ମହରଗ ଯୁଗରେ କିପରି ପରିବାର ପ୍ରତିପୋଷଣ କହୁଛନ୍ତି ତାହା ବିଧାୟକମାନେ ଚିନ୍ତା କରିଛନ୍ତି କି ? ସେମାନଙ୍କ ଦରମା ବୃଦ୍ଧି ପୂର୍ବରୁ ତଳସ୍ତରରେ କାମ କରୁଥିବା ଅଂଗନବାଡି କର୍ମୀ, ସହାୟିକା, ଆଶା, ସରପଞ୍ଚ ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ଶିଶୁ ବାଟିକା ଶିକ୍ଷୟତ୍ରୀଙ୍କ ଦରମା ବୃଦ୍ଧି କରିବା ଉଚିତ ବୋଲି ଜନମତ ପ୍ରକାଶ ପାଇବାରେ ଲାଗିଛି । ତୁରନ୍ତ ବିଧାୟକଙ୍କ ବର୍ଦ୍ଧିତ ଦରମା ପ୍ରତ୍ୟାହାର କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେବାକୁ ଲାଗିଛି । ଅନ୍ୟଥା ଜନଆନ୍ଦୋଳନ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ