


ସମ୍ବଲପୁର, ୧୮ ଡିସେମ୍ବର(ହି.ସ.) – ଉଦୟ ଏ. କାଓଲେ, ଅଧ୍ୟକ୍ଷ-ସହ-ପ୍ରବନ୍ଧ ନିର୍ଦ୍ଦେଶକ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍, ଆଜି ସ୍କୋପ୍ର ଡବ୍ଲୁଆଇପିଏସ, ଏମ୍ସିଏଲ୍ ଦ୍ୱାରା ମହିଳା ସଶକ୍ତିକରଣ ପଦକ୍ଷେପ 'ସ୍ୱୟଂସିଦ୍ଧା'କୁ ଉଦଘାଟନ କରି ଏହା ଏକ ଅଭିନବ ପଦକ୍ଷେପ ବୋଲି କହିଛନ୍ତି। କାର୍ଯ୍ୟକ୍ରମର ପରିକଳ୍ପନା ଏବଂ ସଫଳ ଆୟୋଜନ ପାଇଁ ସି. ବି. ସ୍ମିତା, ସମନ୍ୱୟକ, ଡବ୍ଲ୍ୟୁଆଇପିଏସ୍, ଏମ୍ସିଏଲ୍ ଓ ତୁଳିକା ବିଶ୍ୱାସ, ସାଧାରଣ ସଚିବ, ଡବ୍ଲ୍ୟୁଆଇପିଏସ୍, ଏମ୍ସିଏଲ୍ ପ୍ରୟାସକୁ ପ୍ରଶଂସା କରି ସେ କହିଲେ ଯେ, “ସ୍ୱୟଂସିଦ୍ଧା” ପରି କାର୍ଯ୍ୟକ୍ରମ ମହିଳାମାନଙ୍କୁ ମୌଳିକ ଡ୍ରାଇଭିଂ, ବିଦ୍ୟୁତ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବହାରିକ କୌଶଳ ସହିତ ଆବଶ୍ୟକ ଜୀବନ ଓ କୌଶଳ-ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରି, ସେମାନଙ୍କୁ ଅଧିକ ସ୍ୱୟଂନିର୍ଭର କରେ ଏବଂ ଅନ୍ୟମାନଙ୍କ ଉପରେ ନିର୍ଭରତା କମାଏ। ସେ ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି କହିଥିଲେ ଯେ ମହିଳାମାନେ କେବଳ ପରିବାର ଓ କାର୍ଯ୍ୟସ୍ଥଳରେ ନୁହେଁ, ବରଂ ଏକ ପ୍ରଗତିଶୀଳ ଓ ସମାବେଶୀ ସାମାଜିକ ପରିବେଶ ଗଢ଼ିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତି।
କାର୍ଯ୍ୟକ୍ରମରେ ନେକ୍ସସ୍ ପାୱାର୍ର ନିକିତା ବାଲିଆରସିଂହ ଓ ନିଶିତା ବାଲିଆରସିଂହ ଉଦ୍ୟମିତା, ନେତୃତ୍ୱ ଓ ଆତ୍ମବିଶ୍ୱାସ ବିଷୟରେ ମୂଲ୍ୟବାନ ଅନୁଭବ ବର୍ଣ୍ଣନା କରି ଉଚ୍ଚ ଲକ୍ଷ୍ୟ ହାସଲ ପାଇଁ ପ୍ରଥମେ ମୌଳିକ କୌଶଳକୁ ସୁଦୃଢ଼ କରିବା ଆବଶ୍ୟକ, କାରଣ ସେଗୁଡ଼ିକ ଆତ୍ମବିଶ୍ୱାସ, ସ୍ୱାଧୀନତା ଓ ଦୀର୍ଘକାଳୀନ ସଫଳତାର ଆଧାର ବୋଲି କହିଥିଲେ। ସେମାନେ ନେକ୍ସସ୍ ପାୱାର୍ର ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରି କୃଷି ଫସଲ ଅବଶିଷ୍ଟରୁ ତିଆରି ପରିବେଶ-ମିତ୍ର, ଜୀବ-ଅବକ୍ଷୟଶୀଳ ବ୍ୟାଟେରୀ ଉନ୍ନୟନରେ ଅଗ୍ରଣୀ ଭୂମିକା ରହିଛି ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଏମସିଏଲର ନିର୍ଦ୍ଦେଶକ କେଶବ ରାଓ, ସିଭିଓ ପ୍ରଣବ କୁମାର ପଟେଲ୍, ଜାଗୃତି ମହିଳା ମଣ୍ଡଳ ର ଉପାଧ୍ୟକ୍ଷା ଶ୍ରୀମତୀ ରାଶ୍ମି ବେହୁରା ଏବଂ ଶ୍ରୀମତୀ ଶଶିକଳା ଝାଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଏଥିରେ ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ସମାଜରେ ମହିଳାମାନଙ୍କ ଶକ୍ତି, ସହନଶୀଳତା ଓ ବହୁମାତ୍ରିକ ଭୂମିକାକୁ ସୃଜନାତ୍ମକ ଭାବେ ପ୍ରଦର୍ଶିତ କରାଯାଇଥିଲା। ଯାହାକୁ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କ ଠାରୁ ବ୍ୟାପକ ସ୍ୱୀକୃତି ମିଳିଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ