
ସମ୍ବଲପୁର, ୧୮ ଡିସେମ୍ବର (ହି.ସ.) - ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତି ବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଂଟି ଚିପି କରିଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଝାରସୁଗୁଡ଼ା ଲଖନପୁର ମୂଳ ବାସିନ୍ଦା ତଥା ବର୍ତମାନ ବୁର୍ଲା ଏମସିଏଲରେ କର୍ମଚାରୀ ଆକାଶ ମୁଣ୍ଡା(୨୫)। ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଛି। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲା ଭସ୍ମଲେପନ ଅନ୍ତର୍ଗତ ଦେଉଳି ଗ୍ରାମର ସରସ୍ୱତୀ ମୁଣ୍ଡା(୨୩)। ତାଙ୍କଠାରୁ ହତ୍ୟାରେ ବ୍ୟବହୃଯ ଗାମୁଛାକୁ ପୋଲିସ ଜବତ କରିଛି। ଏନେଇ ମୃତକ ଆକାଶଙ୍କ ବଡ଼ ଭଉଣୀ ସଂଯୁକ୍ତା ମୁଣ୍ଡାଙ୍କ ଏତଲା କ୍ରମେ ବୁର୍ଲା ଥାନାରେ କେସ ନମ୍ବର ୫୭୨/୨୦୧୫ରେ ଏକ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାସହ ପୋଲିସ ଅଭିଯୁକ୍ତା ସରସ୍ୱତୀଙ୍କ ଗୁରୁବାର କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁସାରେ ଏତଲାକାରୀ ସଂଯୁକ୍ତାଙ୍କ ଅନୁସାରେ, ତାଙ୍କ ଭାଈ ଆକାଶ ଏମସିଏଲରେ କାର୍ଯ୍ୟ କରୁଥିଲେ। ସେ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆ ସହ ଜାଗୃତିବିହାରରେ ଏମସିଏଲର କ୍ୱାର୍ଟରରେ ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ପଡ଼ୋଶୀଙ୍କ ଠାରୁ ଆକାଶଙ୍କୁ ଗୁରୁତର ଅବସ୍ଥାରେ ଭିମସାରରେ ଭର୍ତି କରାଯାଇଥିବା ଖବର ମିଳିଥିଲା। ତତ୍କ୍ଷଣାତ ସେ ଆସି ଭିମସାରରେ ପଂଚିଥିଲେ। ମାତ୍ର ସେତେବେଳକୁ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇ ସାରିଥିଲା। ତେବେ ସେ ପଡ଼ୋଶୀଙ୍କ ଠାରୁ ଜାଣିବାକୁ ପାଇଲେ ଯେ, ଉକ୍ତଦିନ ସନ୍ଧ୍ୟାରେ କୌଣସି କଥାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବାଡ଼ିଆପିଟା ପର୍ଯ୍ୟନ୍ତ ଯାଇଥିଲା। ତେବେ ଏହି ସମୟରେ ଆକାଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପଡ଼ୋଶୀ ଲୋକେ ତୁରନ୍ତ ବୁର୍ଲା ଭିମସାରରେ ଭର୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଆକାଶଙ୍କ ସ୍ୱାଶରୁଦ୍ଧ ଜନିତ କାରଣରୁ ମୃତ୍ୟୁ ଘଟିଥିବା ଜଣା ପଡ଼ିଥିଲା। ଆକାଶଙ୍କ ଭଉଣୀଙ୍କ ଓ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତାଙ୍କ ସ୍ତ୍ରୀ ସରସ୍ୱତୀଙ୍କ ଗିରଫ କରି ପଚରା ଉଚରା ବେଳେ ସେ ଆକାଶଙ୍କୁ ଏକ ଗାମୁଛାରେ ତଂଟିଚିପି ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ