
କନ୍ଧମାଳ, ୧୮ ଡିସେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏଡିଜେ ପୋକ୍ସୋ କୋର୍ଟର ବିଚାରପତି ମନୋରଞ୍ଜନ ଦାଶ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ୧୪ ଜଣ ସାକ୍ଷୀ ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଅଭିଯୁକ୍ତ ବିଷ୍ଣୁ ଚରଣ ବେହେରାକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ଏଡିଜେ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପି.ପି. ଅସୀମ ପ୍ରହରାଜ ମାମଲାକୁ ପରିଚାଳନା କରୁଥିଲେ।
ସୂଚନା ଅନୁସାରେ, ୨୦୨୩ ମସିହା ସେପ୍ଟେମ୍ବର ୧୯ ତାରିଖରେ ପୀଡିତାଙ୍କ ପରିବାର ପକ୍ଷରୁ ଫୁଲବାଣୀ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟାଉନ ଥାନାଧିକାରୀ ଥାନା କେଶ୍ ନମ୍ବର -୨୩୭/ ୨୦୨୩ରେ ମାମଲା ରଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଆଜି ବିଚାରପତି ମାମଲାର ବିଚାର କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ପୀଡିତାଙ୍କୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିିଲ୍ଲା ଆଇନ୍ ସେବା ପ୍ରାଧୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ