
ବଲାଙ୍ଗୀର, ୧୮ ଡିସେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ଲୋଇସିଂହା ସ୍ଥିତ ଜାତୀୟ ରାଜପଥ ୨୬ କଡ଼ରେ ଥିବା ଜସ୍ମିନ ଜୁଏଲର୍ସରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନାରୂପା ଚୋରି ହୋଇଛି। ଚୋରି ହୋଇଥିବା ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ଦୋକାନ ମାଲିକ ୱାସୀମ ଖାନ ବ୍ୟବସାୟ ସାରି ଦୋକାନ ବନ୍ଦ କରିଥିଲେ। ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ ତାଲା ଭାଙ୍ଗି ସଟର ତାଡ଼ି ଦୋକାନରେ ପଶି ପ୍ରାୟ ୨୦ କିଗ୍ରା ରୂପା ଓ ୨୦ ଗ୍ରାମ ସୁନା ଚୋରି କରି ନେଇଥିବା ଜଣାଯାଇଛି। ଚୋରି ସମୟର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ସକାଳୁ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣିପାରି ଦୋକାନ ମାଲିକ ପୁଲିସକୁ ସୂଚନା ଦେଇଥିଲେ। ଲୋଇସିଂହା ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ଜୁଏଲାରି ଦୋକାନ ସହ ଆଖପାଖ ଅଂଚଳର ସିସିଟିଭି ଯାଂଚ ଆରମ୍ଭ କରିଛି। ଏଥିସହିତ ସାଇଂଟିଫିକ ଟିମ୍ ଦ୍ୱାରା ଘଟଣାର ଯାଂଚ କରାଯିବା ନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ, ଯେ ଲୋଇସିଂହା ସହରରେ ଗତ କିଛିଦିନ ହେଲା ଧାରାବାହିକ ଭାବେ ଚୋରି ବଢିବାରେ ଲାଗିଛି। ସ୍ଥାନୀୟ ଥାନା ଠାରୁ ମାତ୍ର ଶହେ ମିଟର ଦୂର ତଥା ରାତ୍ରିକାଳୀନ ପେଟ୍ରୋଲିଂ ଥାଇ ସୁଦ୍ଧା ଚୋରମାନେ ପୋଲିସକୁ ଚକମା ଦେଇ ଚୋରୀ କରୁଥିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ