
କେନ୍ଦ୍ରାପଡ଼ା, ୧୮ ଡିସେମ୍ବର(ହି.ସ.) –ଜଣେହିନ୍ଦୁ ଝିଅକୁ ବଳ ପୂର୍ବକ ବିବାହ କଲେ ମୁସଲିମ ସଂଗଠନ ସଂପୃକ୍ତ ଯୁବକକୁ ୧୦ ଲକ୍ଷ ଟଙ୍କା ଦେଉଛି । ଯାହାକୁ ନେଇ ମୁସଲିମ ଯୁବକମାନେ ବିପଥଗାମୀ ହେବା ସହ ଅନେକ ବିବାହିତା ମୁସଲିମ ଝିଅଙ୍କ ପରିବାର ଭାଙ୍ଗି ଛାରଖାର ହେବା ସହ ସେମାନେ ନରକ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ କରିଛନ୍ତି ଜଣେ ବିବାହିତା ମୁସଲିମ ଯୁବତୀ। କେନ୍ଦ୍ରାପଡା ପୈାରାଂଚଳର ନସଡିପୁର ଅଂଚଳର ବାସିନ୍ଦା ତଥା ସଦର ଥାନା ଅଧିନ ଜମଧର ଗ୍ରାମରେ ବିବାହ କରିଥିବା ଜଣେ ମହିଳା ନିଜ ସ୍ୱାମୀଙ୍କ ଅତ୍ୟାଚାର ରେ ଅତିଷ୍ଠ ହୋଇ ବାପ ଘରେ ରହିବା ସହ ତାଙ୍କ ସ୍ୱାମୀ ସଇଜୁଦ୍ଦିନ ଖାନଙ୍କ ଲଭ୍ ଜେହାଦ୍ ଓ ଏକାଧିକ ବିବାହକୁ ବିରୋଧ କରି ଆଜି କେନ୍ଦ୍ରାପଡା ଏସପିଙ୍କ ନିକଟରେ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ଅଭିଯୋଗ ମୁତାବକ ପୀଡିତା ଫରିଦା ଖାତୁନ(୨୪) ୨୦୨୦ ରେ ସଇଜୁଦ୍ଦିନ ଖାନଙ୍କୁ ମୁସଲିମ ରୀତିନୀତି ଅନୁଯାଇ ବିବାହ କରିଥିଲେ। ତାଙ୍କର ଗୋଟିଏ କନ୍ୟା ସନ୍ତାନ ଥିବା ସତ୍ୱେ ସ୍ୱାମୀ ସଇଜୁଦ୍ଦିନ ନିଜକୁ ଅବିବାହିତ ଦର୍ଶାଇ ଅନ୍ୟ ଜଣେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ରଖିଥିଲେ ଓ ଫରିଦାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଅକଥନୀୟ ଯନ୍ତ୍ରଣା ଦେବାରୁ ଫରିଦା ଏବେ ବାପଘରେ ରହୁଛନ୍ତି। ଏହି କିଛିଦିନ ତଳେ ସଇଜୁଦ୍ଦିନ ପୁନର୍ବାର ନିଜକୁ ଅବିବାହିତ ଦର୍ଶାଇ ନାଗପୁରା ଅଂଚଳର ଜଣେ ହିନ୍ଦୁ ଝିଅକୁ ଫସାଇ ନେଇ ହାଇଦ୍ରାବାଦ ପଳାଇ ଯାଇଥିବା ଫରିଦା ଅଭିଯୋଗ କରିଛନ୍ତି। ତେବେ ସଇଜୁଦ୍ଦିନ ବାରମ୍ବାର ମହିଳା ଅପହରଣ ଓ ହିନ୍ଦୁ ଝିଅମାନଙ୍କୁ କଳେବଳେ କୈାଶଳେ ପ୍ରେମ ଜାଲରେ ଫସାଇ ଅପହରଣ କରୁଥିବା ଓ କିଛିଦିନ ଉପଭୋଗ କରିବା ସହ ହାଇଦ୍ରାବାଦ ପ୍ରଭୃତି ଅଂଚଳରେ ମୋଟା ଅଙ୍କରେ ବିକ୍ରୟ କରୁଥିବା ଓ ଏଥିପାଇଁ ତାଙ୍କ ସଂପ୍ରଦାୟର ସଂଗଠନ ୧୦ ଲକ୍ଷ ଟଙ୍କା ପ୍ରଦାନ କରୁଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏନେଇ ଫରିଦା ସଦର ଥାନାରେ ଅଭିଯୋଗ କରିବା ସହ ଆଜି ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ତେବେ ସଂପୃକ୍ତ ଯୁବକ ବିରୋଧରେ ଏହିଭଳି ଅଭିଯୋଗ ପୂର୍ବରୁ ଥିବାରୁ ଏକ ପୋଲିସ ଟିମ୍ ହାଇଦ୍ରାବାଦ ଯାଇଥିବା ସୂଚନା ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି