



ସମ୍ବଲପୁର, ୧୯ ଡିସେମ୍ବର (ହି.ସ.)- ଧାନକିଣା ପାଇଁ ମଣ୍ଡିରେ ଉପୁଜିଥିବା ଟୋକନ ସମସ୍ୟାକୁ ନେଇ ଆଜି ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି l ସକାଳ ୬ଟା ଠାରୁ ସନ୍ଧ୍ଯା ୬ଟା ଏହି ବନ୍ଦ ପାଳନ କରାଯାଉଛି। ଚାଷୀମାନେ ସକାଳ ୬ଟାରୁ ସହରର ଲକ୍ଷ୍ମୀଟକିଜ ଛକ, ଅଇଁଠାପାଲି ଛକ, କଚେରୀ ଛକ ଆଦି ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଆଦି ବ୍ଯବସାୟିକ ଅନୁଷ୍ଠାନ ସହିତ ସ୍କୁଲ, କଲେଜ ଆଦିକୁ ବନ୍ଦ କରିଛନ୍ତି। ଦିନ ଗଡ଼ିବା ସାଙ୍ଗକୁ ଚାଷୀମାନେ ପିକେଟିଂ କରି ବସ ଚଳାଚଳ, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟ।ଳୟ, ବ୍ଯାଙ୍କ, ବୀମା, ଅଦାଲତ ଆଦିକୁ ମଧ୍ୟ ସମ୍ପୂର୍ଣ ବନ୍ଦ କରିଛନ୍ତି l ସହରରେ ସମସ୍ତ ପେଟ୍ରୋଲ ଟାଙ୍କି ବନ୍ଦ ରହିଛି। ହେଲେ ଜାତୀୟ ରାଜପଥ, ଟ୍ରେନଯାତ୍ରାକୁ ବନ୍ଦରୁ ବାଦ ଦିଆଯାଇଛି। ସେହିପରି ସରକାରୀ ଓ ଘରୋଇ ଡାକ୍ତରଖାନାରେ ସ୍ବାଭାବିକ ଭାବେ ରୋଗିସେବା ଅବ୍ଯାହତ ରହିଥିବା ବେଳେ ଔଷଧ ଦୋକାନ ଖୋଲା ରହିଛି ଓ ଆମ୍ବୁଲାନ୍ସ, ଦମକଳ, ଦୁଇ ଚକିଆ ଓ ଛୋଟ ଚାରିଚକିଆ ଯାନ ସ୍ବାଭାବିକ ଭାବେ ଚଳାଚଳ କରୁଥିବା ଦେଖା ଯାଇଛି। ସମସ୍ତ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସହରରେ ସବୁ ବନ୍ଦ ରହିଛି। ପୂର୍ବରୁ ଚାଷୀ ଦୁଇ ଦୁଇ ଥର ଜାତୀୟ ରାଜପଥ ବନ୍ଦ କରିଥିଲେ ସେଥିପାଇଁ ଆଉ ଜାତୀୟ ରାଜପଥ ବନ୍ଦ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି l
ସେପଟେ ଏହି ବନ୍ଦକୁ ସମର୍ଥନ କରି ସହରର ବିଭିନ୍ନ ସଙ୍ଗଠନ ସହ ବିଜେଡି ଓ କଂଗ୍ରେସ ମଧ୍ୟ ବନ୍ଦରେ ସାମିଲ ହେଇଛନ୍ତି l ଚାଷୀମାନେ ସମ୍ବଲପୁର ସହର ସହ ସହର ଉପକଣ୍ଠସ୍ଥ ସିନ୍ଦୁରପଙ୍କ ତଥା ଜିଲ୍ଲାର କୁଚିଣ୍ଡା, ରେଢ଼ାଖୋଲ, ଜମନକିରା, ପଡ଼ିଆବାହାଲ, ଗୋଶାଲା ଅଞ୍ଚଳରେ ମଧ୍ୟ ବନ୍ଦ କରିଛନ୍ତି l ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ଯାପକ ପୋଲିସ ମୁତୟନ କରାଯାଇଛି। ଏପରିକି ଜିଲା ପ୍ରଶାସନ ଓ ପୋଲିସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ