
ଗଂଜାମ, ୧୯ ଡିସେମ୍ବର (ହି.ସ.)- ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ୧୧୭ତମ ଜୟନ୍ତୀ ବ୍ରହ୍ମପୁର ଅଯୋଧ୍ୟା ନଗର ପ୍ରଥମ ଲାଇନ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ପଣ୍ଡିତ ବାଇକୋଳି ଜ୍ୟୋତିଷ ବିଶାରଦ ସ୍ମୃତି ପରିଷଦ ସଭାପତି ପ୍ରିତି ମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜ୍ୟୋତିଷ ଶାସ୍ତ୍ରରେ ପଣ୍ଡିତ ମହାପାତ୍ରଙ୍କ ଭୂମିକାକୁ ମନେ ପକାଇଥିଲେ। ମୁଖ୍ୟବକ୍ତା ଭାବେ ପ୍ରଫେସର ବିଷ୍ଣୁ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ସାମ୍ୱାଦିକ ରବି ରଥ, ଶିକ୍ଷାବିତ୍ ରାଜେନ୍ଦ୍ର ପଣ୍ଡା, ଡଃ. ଡମ୍ବରୁଧର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବ୍ରହ୍ମପୁର ସହରରେ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ନାମରେ ପ୍ଲାନେଟାରିୟମ ଓ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସମ୍ମାନିତ ଅତିଥିମାନେ ମତ ରଖିଥିଲେ। ପରିଚାଳନାରେ ସତ୍ୟ କମଳ ପାଣିଗ୍ରାହୀ, ଆଡ଼ଭୋକେଟ ଶିବ ପ୍ରସାଦ ମିଶ୍ର, ନାରାୟଣ ମହାପାତ୍ର, ଏଲ.ଏନ୍. ପାତ୍ର ପ୍ରମୁଖ ସହଯୋଗ କରିଥିଲେ।
ଏହି ସଭାରେ ବିଶ୍ଵବିଦ୍ୟାଳୟ ପାଠ୍ୟକ୍ରମରେ ଜୋତିଷ ବିଦ୍ୟାକୁ ସ୍ଥାନିତ କରିବା, ପଣ୍ଡିତଙ୍କ ନାମରେ ପଦାର୍ଥ ବିଜ୍ଞାନରେ ଏକ ଚେୟାର ସ୍ଥାପନ ଇତ୍ୟାଦି ପ୍ରସ୍ତାବ ଗ୍ରହଣ କରାଯାଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ