
ଭବାନୀପାଟଣା, ୨୭ ଡିସେମ୍ବର(ହି.ସ.) – କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ, ଲୁକାୟିତ ପ୍ରତିଭା, ଭାଇଚାରା ସମ୍ପର୍କର ବାର୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପ୍ରତିବର୍ଷ ଭଳି ଆଗାମୀ ଜାନୁଆରୀ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ସଦରମହକୁମା ଭବାନୀ ପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଏବଂ ୧୫ରୁ ୧୭ ଜାନୁଆରୀ ଧର୍ମଗଡ଼ ଉତ୍ସବ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଗ୍ରାମ ପଂଚାୟତ ସ୍ତରୀୟ ଉଦଘାଟନୀ ଉତ୍ସବ ଭବାନୀପାଟଣା ବ୍ଲକର କାମଠଣା ଗ୍ରାମ ପଂଚାୟତ ତରଫରୁ, ସ୍ଥାନୀୟ ଦୂର୍ଗାମଣ୍ଡପ ଠାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଲୋକସଭା ସଦସ୍ୟ କଳାହାଣ୍ଡି ମାଳବିକା ଦେବୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ବିଡିଓ ଚନ୍ଦନ କୁମାର ଭୋଇ, ସ୍ଥାନୀୟ ସରପଂଚ ଲୋକନାଥ ଦୂର୍ଗା, ଜିଲ୍ଲା ଯୁବ ଅଧିକାରୀ ମାଇ ଭାରତ ପ୍ରସନ୍ନ ମେହେର, ଉତ୍ସବ ପ୍ରସାର ପ୍ରଚାର କମିଟିର ଅଧ୍ୟକ୍ଷ ଶାନ୍ତନୁ କୁମାର ବେହେରା, କମିଟି ର କନଭେନର ହର ଜିନ୍ଦର ସିଂ,ସଦସ୍ୟ ସ୍ୱାଧୀନ ପାତ୍ର, ଦେବେନ୍ଦ୍ର ବିଶି ପ୍ରମୁଖ ଘୁମୁରା ଲୋଗ ଓ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ମୁଖ୍ୟଅତିଥି ଶ୍ରୀମତୀ ଦେଓ କଳାହାଣ୍ଡିର କଳା ସଂସ୍କୃତି ପରମ୍ପରା ମହାନ୍ ଏହାକୁ ବଂଚାଇ ରଖିବା ସହିତ, ଲୁକାୟିତ ପ୍ରତିଭାର ବିକାଶ ଦିଗରେ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ର କଳା, ସଂସ୍କୃତିର ବିକାଶ ଓ ଭାଇଚାରା ସମ୍ପର୍କର ବାର୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ଗ୍ରାମ ପଂଚାୟତ ସ୍ତରରୁ ବ୍ଲକ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତେ ସହଯୋଗ କରିବା ସହିତ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଭାଇଚାରା ସମ୍ପର୍କରେ ଯୋଡିହୋଇ ଉପଭୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପ୍ରକାଶ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଂଚ ଲୋକନାଥ ଦୁର୍ଗା ସ୍ୱାଗତ ଅଭିଭାଷଣ ଦେଇଥିଲାବେଳେ ବିଡିଓ ଚନ୍ଦନ ଭୋଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସବୁ କାର୍ଯ୍ୟକ୍ରମକୁ ଜଗନ୍ନାଥ ତ୍ରିପାଠୀ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ