
ନୂଆପଡ଼ା, ୨୭ ଡ଼ିସେମ୍ବର (ହି.ସ.)- ରାଜ୍ୟ ତାଲିମ କେନ୍ଦ୍ର ଓ ଦୁଃସାହସିକ ଅନୁଷ୍ଠାନ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍, ବରୁଣେଇ, ଖୋର୍ଦ୍ଧା ଠାରେ ଚାଲିଥିବା ୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍ କ୍ୟାମ୍ପରେ ନୂଆପଡା ଜିଲ୍ଲା ସମ୍ମାନିତ ହୋଇଛି l
ଜିଲ୍ଲା ଶିକ୍ଷା ଅଧିକାରୀ, ନୂଆପଡ଼ା ତଥା ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ସଂଗଠନର ଜିଲ୍ଲା ମୁଖ୍ୟ କମିଶନର ପ୍ରଶାନ୍ତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ ତଥା ଜିଲ୍ଲା ସମ୍ପାଦକ ରତନ ସିଂ ବାରିକ, ଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପ୍ରଧାନୀ, ଜିଲ୍ଲା ତାଲିମ କମିଶନର (ସ୍କାଉଟ) ଅଶୋକ କୁମାର ବେହେରା ଓ ଜିଲ୍ଲା ସାଂଗଠନିକ କମିଶନର (ସ୍କାଉଟ) ବିଜୟ ନାଗଙ୍କ ପରାମର୍ଶରେ ସ୍କାଉଟ୍ ବିଭାଗର କଣ୍ଟିଜେଣ୍ଟ୍ ଲିଡର୍ ସୁବାଷ ଚନ୍ଦ୍ର ଯୋଶୀ, ଗାଇଡ଼ ବିଭାଗର କଣ୍ଟିଜେଣ୍ଟ୍ ଲିଡର୍ ୟାଶୋ ଦାସ ଓ ସ୍କାଉଟ୍ ମାଷ୍ଟର ରୋଶନ ପଣ୍ଡାଙ୍କ ନେତୃତ୍ୱରେ ଖଡ଼ିଆଳ ସ୍ଥିତ ପି. ଏମ୍. ଶ୍ରୀ ରାଜା ଏ.ଟି. ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ୪ ଜଣ ସ୍କାଉଟସ୍, ଶହିଦ୍ ଭଗତ ସିଂ ଓପନ ସ୍କାଉଟ ଟ୍ରୁପ୍, ଖଡ଼ିଆଳର ମୋଟ ୩ ଜଣ ସ୍କାଉଟସ୍, ହାତିବନ୍ଧା ଉଚ୍ଚ ବିଦ୍ୟାଳୟ, ହାତିବନ୍ଧାର ମୋଟ ୪ ଜଣ ସ୍କାଉଟସ୍, ୟୁ. ଜି. ଏଚ୍. ଏସ୍, ମାଗୁରପାନିର ମୋଟ ୭ ଜଣ ସ୍କାଉଟସ୍, ନବଜ୍ୟୋତି ବିଦ୍ୟାଳୟ, ଖରିଆର ରୋଡର ମୋଟ ୩ ଜଣ ଗାଇଡସ୍ ଏବଂ ପି. ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କରଙ୍ଗାମାଲର ମୋଟ ୨ ଜଣ ସ୍କାଉଟସ୍ ଓ ୧୨ ଜଣ ଗାଇଡସ୍ ଏହିପରି ୩୫ ଜଣ ସ୍କାଉଟସ୍ ଏବଂ ଗାଇଡ଼ସ୍ ନୂଆପଡ଼ା ଜିଲ୍ଲାରୁ ମନୋନୀତ ହୋଇ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାସହ ମାର୍ଚ୍ଚ ପାଷ୍ଟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ, ଏକ୍ଜିବିସନ୍ ପ୍ରତିଯୋଗିତାରେ ତୃତୀୟ ସ୍ଥାନ, ବ୍ୟାଣ୍ଡ ପ୍ରଦର୍ଶନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ, କଲର୍ ପାର୍ଟି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଡ. କାଳୀ ପ୍ରସାଦ ମିଶ୍ର, ଜାତୀୟ ଉପ ସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସଙ୍କ ଠାରୁ ପୁରସ୍କୃତ ହୋଇଥିଲେ ଏବଂ ଜିଲ୍ଲା ମୋମେଣ୍ଟୋ ଗ୍ରହଣ କରିଥିଲେ। ଏହା ସହିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କରଙ୍ଗାମାଲର ଗାଇଡ଼ ବୈଶାଳୀ ବାଗ ଓ ନବଜ୍ୟୋତି ବିଦ୍ୟାଳୟ, ଖରିଆର ରୋଡର ଗାଇଡ଼ ୟଶିକା ସାହୁ ପାରମ୍ପାରିକ ପଦଯାତ୍ରା (ଟେଡିସନାଲ୍ ୱାକ୍) ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରି ନୂଆପଡ଼ା ଜିଲ୍ଲାର ସୁନାମ ଅର୍ଜନ କରିଛନ୍ତି।
କ୍ୟାମ୍ପର ବିଶେଷ ଆକର୍ଷଣ ଦୁଃସାହସିକ କାର୍ଯ୍ୟକଳାପ ଓ ଏସ୍. ଡି. ଜି ହବରେ ସ୍କାଉଟସ୍ ଏବଂ ଗାଇଡ଼ସ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ବ୍ୟାଜ୍ ପ୍ରାପ୍ତ କରି ଖୁସି ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ