
ଧର୍ମଶାଳା, ୨୭ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତ କଂଟାମାଳିଆ ଗ୍ରାମରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଉତ୍ସର୍ଗୀକୃତ ଏହି ସ୍ୱାସ୍ଥ୍ୟ ଶିବିରରେ ପାଖର ଓ ଥାନୁଆଳ ପଂଚାୟତର ୯୪୫ ଜଣ ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଟ୍ରଷ୍ଟ ପକ୍ଷରୁ ମାଗଣା ଔଷଧ ନେଇଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ଅତିଥି ଭାବେ ଜିଲା ବିଜେପି ସଭାନେତ୍ରୀ ଦେବଯାନୀ ପ୍ରଧାନ, ବିଜେପି ନେତା କାହ୍ନୁ ଚରଣ ଦାଶ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୬ ଗୋଟି ଜୋନର ବିଜେପି ସଭାପତି ଯୋଗ ଦେଇ ଥିଲେ । ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ଡାକ୍ତରମାନେ ଯୋଗଦେଇ ରୋଗମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରକୁ ଆସିଥିବା ଲୋକମାନଙ୍କୁ ଡାଇବେଟିସ, ଉଚ୍ଚରକ୍ତଚାପ ସମ୍ପର୍କରେ ଟ୍ରଷ୍ଟ ପକ୍ଷରୁ ସଚେତନ କରାଯିବା ସହ ସେମାନଙ୍କୁ ୩ ମାସ ପାଇଁ ମାଗଣା ଔଷଧ ଦିଆ ଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ ରାଜେଶ କୁମାର ପାଳ, ଅୟୁଷ୍ମାନ ପ୍ରୀୟ ଦର୍ଶନ ଓ ଲୋକନାଥ ମହାନ୍ତି ପ୍ରମୁଖ ଟ୍ରଷ୍ଟର ସଦସ୍ୟମାନେ ପରିଚାଳନା କରିବାରେ ସହାୟତା କରିଥିଲେ । ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟମେଳା ନିର୍ବାଚନ ମଣ୍ଡଳୀର ସମସ୍ତ ୫୪ ଗୋଟି ପଂଚାୟତ ବାସିନ୍ଦାଙ୍କ ପାଇଁ ବିଭିନ୍ନ ପଂଚାୟତରେ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ