
ଧର୍ମଶାଳା, ୨୭ ଡିସେମ୍ବର(ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶଙ୍ଖାରୀଢିହ ସ୍ଥିତ ଧର୍ମଶାଳା ପବ୍ଲିକ ସ୍କୁଲର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବକୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଶ୍ରୀକାନ୍ତ ଗୌତମ ଉଦଘାଟକ ଭାବେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍କୁଲର ଅଧ୍ୟକ୍ଷ ସାବିତ୍ରୁ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ୟଙ୍ଗ କବି ଶୁଭକାନ୍ତ ଦାସ ଯୋଗଦେଇ ବ୍ୟଙ୍ଗ କବିତା ଆବୃତ କରିଥିଲେ । ମୁଖ୍ୟବକ୍ତା ଭାବେ ଭୁତତ୍ୱବିତ ମାନସ ରଞ୍ଜନ ସ୍ୱାଇଁ , ସମ୍ମାନିତ ଅତିଥି ଭାବେ ସୁବାଶିଷ ପାତ୍ର ଓ ବରିଷ୍ଠ ସର୍ଜନ ଡାକ୍ତର ବିକାଶ ଚନ୍ଦ୍ର ବାରିକ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ହାସ୍ୟ ଅଭିନେତା ଦୀପକ ତ୍ରିପାଠୀ (ଟୁକୁନା )ର କମେଡି ଦର୍ଶକଙ୍କ ମନ ଜିଣି ଥିଲେ । ଏହି ଅବସରରେ ନାରାୟଣ ଚନ୍ଦ୍ର ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଭିକାରୀ ଚରଣ ସାମଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ