
କେନ୍ଦ୍ରାପଡା, ୮ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ବିଷୟ ବସ୍ତୁ ଆଧାରିତ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ବିଶ୍ଵ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସ୍ଵାଗତ ସଙ୍ଗୀତ, ନୃତ୍ୟ ଏବଂ ନାଟକ 'ସେମାନେ ସକ୍ଷମ' ସଫଳତାର ସହିତ ପରିବେଷିତ ହୋଇଯାଇଛି। ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ ଥାନା, ମାର୍ଶାଘାଇ ଥାନା, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା, ସଦର ଥାନା, କୁଦାନଗରୀ ଥାନା ଏବଂ ପାଟକୁରା ଥାନା ଅଞ୍ଚଳରେ ସାଇବର କ୍ରାଇମ ସମ୍ପର୍କରେ ପଥପ୍ରାନ୍ତ ନାଟକ ସାଧୁ ସାଵଧାନ ବିଭିନ୍ନ ସ୍ଥାନରେ ପରିବେଶିତ ହୋଇଯାଇଛି। ଜିଲ୍ଲା ଭିଜିଲାନ୍ସ ୟୁନିଟ ସହଯୋଗରେ ପଥପ୍ରାନ୍ତ ନାଟକ ଦୁର୍ନୀତି ରାକ୍ଷସ ଉଭୟ କେନ୍ଦ୍ରାପଡ଼ା ସହର ଏବଂ କଟକ ରେଳ ଷ୍ଟେସନଠାରେ ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ଵଚ୍ଛତା ହିଁ ସେବା, କେନ୍ଦ୍ରାପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ପୋଷଣ ଅଭିଯାନ ଉପରେ ଆଧାରିତ ପଥପ୍ରାନ୍ତ ନାଟକ ସଫଳତାର ସହିତ ପରିବେଷିତ ହୋଇଯାଇଛି। ଏତଦ୍ ବ୍ୟତୀତ ପାଳମୀର ଗଣନାଥ ସାମଲ, ଅଣ୍ଢରାର କୁଶଲତା ଦେଵୀ, ଦୂତିଆଳ ଗ୍ରାମ ଗୁରୁ ଚରଣ ସ୍ଵାଇଁଙ୍କ ପୁଣ୍ୟ ଏକାଦଶାହ ଉପଲକ୍ଷେ ଭାବପୂର୍ଣ୍ଣ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ସମାଜସେବୀ ଗୁରୁଚରଣ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଏବଂ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ସଭା ଗୃହରେ ପ୍ରାକ୍ତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଷଷ୍ଠ ଶ୍ରାଦ୍ଧ ଉତ୍ସବରେ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ସ୍ବାଗତ ସଙ୍ଗୀତ ସଫଳତାର ସହିତ ପରିବେଷିତ ହୋଇଯାଇଛି। କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ଏ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମରେ ଉପେନ୍ଦ୍ର ପାଢ଼ୀ, ନିରୁପମା ଜେନା, ବିମଳ ପ୍ରସାଦ ପରିଡା, ରଞ୍ଜନ ବରାଳ, ଅଜୟ ଜେନା, ବଳରାମ ମଲିକ, ସନ୍ତୋଷ ଦାସ, ରୂପାଲି ସୂତାର, ଅର୍ଚ୍ଚନା ପରିଡା, ରଶ୍ମିତା, ଶ୍ରାଵଣୀ, ଉମେଶ ଆଚାର୍ୟ୍ୟ, ଭକ୍ତ ଦାଶ, କାହ୍ନୁ ଦାଶ, ଦେବ ପ୍ରସାଦ ବିଶ୍ଵାଳ, ଲିଖନ ଦାଶ ପ୍ରମୁଖ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଭାବଗ୍ରାହୀ କଳା ନିକେତନର ଏହି ବ୍ୟସ୍ତ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି