




ବଲାଙ୍ଗିର, ୮ ଡିସେମ୍ବର (ହି.ସ.)- ଆଜି ଅପରାହ୍ନ ପ୍ରାୟ ୩ଟା ୪୦ ସମୟରେ ବଲାଙ୍ଗିର ପୁରାତନ ସରକାରୀ ବସଷ୍ଟାଣ୍ଡକୁ ଲାଗିଥିବା ଫଳ ବଜାରରେ ହଠାତ୍ ଅଗ୍ନିକାଣ୍ଡ ଘଟି ଏଠାରେ ଥିବା ୪୦ ଗୋଟି ଦୋକାନରେ ନିଆଁ ଲାଗି ବିପୁଳ କ୍ଷୟକ୍ଷତି ଘଟିଛି। ଏହି ଅଗ୍ନିକାଣ୍ଡ ଖବର ପାଇ ଦମକଳ ବାହୀନି ଆସି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ କିପରି ଘଟିଲା ତା'ର ସଠିକ ତଥ୍ୟ ଜଣାପଡିନାହିଁ। ହଠାତ୍ ନିଆଁ ଲାଗିଲା ପରେ ଚାଳ ଛପର ଓ ପ୍ଲାଷ୍ଟିକ ଜିନିଷ ଯୋଗୁଁ ଅଳ୍ପ ସମୟ ମଧ୍ୟରେ ନିଆଁ ଚାରିଆଡକୁବ୍ୟାପି ଯାଇଥିଲା। ବିଳମ୍ବରେ ଦମକଳ ଗାଡି ଆସିବା ବେଳକୁ ନିଆଁ ଭୀଷଣ ରୂପ ନେଇ ସାରିଥିଲା। ଅଗ୍ନିକାଣ୍ଡ ଖବର ପାଇ ବଲାଙ୍ଗିର ଜିଲ୍ଲାପାଳ, ଅତିରିକ୍ତ ଏସପି, ସଦର ଏସଡିପିଓ, ଟାଉନ ଇନ୍ସପେକ୍ଟର ଆସି ସାହାଯ୍ଯ କରିବା ସହିତ ସମବେଦନା ଜଣାଇଥିଲେ। ମ୍ୟୁନିସିପାଲଟି ଚେୟାରମ୍ଯାନ ଲୀଳା ସାହୁ ଘଟଣାସ୍ଥଳରେ ପହଂଚି ସମବେଦନା ଜଣାଇଥିଲେ। ନିଆଁ ଲିଭା କାମ ସାରିବା ପରେ ଦୋକାନୀ ମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି। ସେମାନେ ତାଙ୍କର ୧୦ କୋଟିରୁ ଅଧିକ ମୂଲ୍ୟର ଜିନିଷ ଓ ଦୋକାନ ପୋଡି ଯାଇଛି ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ